ଅନୁଗୋଳ – ଝିଅ ବାହାଘର କରିବାକୁ ପ୍ରସ୍ତୁତି ହୋଇଥିଲା । ଝିଅ ପାଇଁ ସୁନା କିଣା ହୋଇ ଏବଂ ଖର୍ଚ୍ଚ ପାଇଁ ଟଙ୍କା ରଖା ଯାଇଥିଲା । ହେଲେ ତା ପୂର୍ବରୁ ସେହି ସବୁ ଟଙ୍କା ଓ ସୁନା ନେଇ ପ୍ରେମିକ ସହ ମା’ ଫେରାର ହୋଇଗଲା । ଆଉ ଏ କଥା ଜାଣିବା ପରେ ବିଚରା ବାପା ଥାନାର ଦ୍ଵାରସ୍ଥ ହୋଇଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅଞ୍ଚଳରେ ଘଟିଛି । ଜଣେ ବ୍ୟକ୍ତିଙ୍କର ୩ ଟି ସନ୍ତାନ ରହିଥିବା ବେଳେ ବଡ ଝିଅର ବାହାଘର ପାଇଁ ପ୍ରସ୍ତୁତି ଚାଲିଛି । ଏଣୁ ବାପା-ମା ଝିଅ ବାହାଘର ପାଇଁ ଘରେ ୩ ଭାରି ସୁନା ଓ ୮୦ ହଜାର ଟଙ୍କା ରଖିଥିଲେ । ତେବେ ଆଜି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବାହାରୁ କାମ ସାରି ଘରକୁ ଫେରି ଦେଖିଲେ ଯେ ତାଙ୍କ ସ୍ତ୍ରୀ ଘରେ ନଥିଲେ । ଝିଅ ଓ ପାଖ ପଡୋଶିଙ୍କୁ ପଚରାଉଚୁରା କରିବା ପରେ ଜାଣିଲେ ଯେ ତାଙ୍କ ସ୍ତ୍ରୀ ପାଖ ଗାଁର ରାମଚନ୍ଦ୍ର ନାଏକ ନାମକ ଜଣେ ଯୁବକଙ୍କ ସହ ଫେରାର ହୋଇ ଯାଇଛି । ଯେଉଁ ଯୁବକ ସହ ତାଙ୍କ ସ୍ତ୍ରୀର ପୂର୍ବରୁ ବନ୍ଧୁତା ଥିବା କଥା ମଧ୍ୟ ସେ ଜାଣିବାକୁ ପାଇଥିଲେ । ଏ କଥା ଜାଣିବା ପରେ ସେ ଘର ଆଲମୀରା ଖୋଜି ଦେଖନ୍ତି ତ ଝିଅ ବାହାଘର ପାଇଁ ସଞ୍ଚିତ ୮୦ ହଜାର ଟଙ୍କା ଓ ୩ ଭାରି ସୁନା ମଧ୍ୟ ନାହିଁ । ଏଣୁ ବାଧ୍ୟ ହୋଇ ସେ ରେଙ୍ଗାଳି ଥାନାର ଦ୍ଵାରସ୍ଥ ହୋଇଛନ୍ତି । ସେ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି ।
Related Stories
November 24, 2024