ଚମ୍ପୁଆ, ଗୋଟିଏ ଶ୍ରେଣୀ ଗୃହରେ ଖୁନ୍ଦା ଖୁନ୍ଦି ହୋଇ ଦୁଇଟି କେନ୍ଦ୍ରର ୬୧ ଜଣ ପିଲା ବସି ପାଠ ପଢୁଥିବା ବେଳେ ଷ୍ଟୋର ରୁମ୍ ଅଭାବରୁ ଯେଉଁଠି ପାଠ ପଢା ସେଇଠି ଅଛି ଷ୍ଟୋର ରୁମ। ୫/୫ ର ଏକ ଛୋଟିଆ ବଖରାରେ ଦୁଇଟି କେନ୍ଦ୍ରର ପିଲାଙ୍କ ପାଇଁ ରୋଷେଇ ହେଉ ଥିବାବେଳେ ଖାଇବା ପାଇଁ ସ୍ଥାନ ଅଭାବ ଯୋଗୁଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚମ୍ପୁଆ ବ୍ଲକ ଅନ୍ତର୍ଗତ ମହେଶ୍ୱର ପୁର ଅଙ୍ଗନୱାଡି କେନ୍ଦ୍ର (କ) ଓ (ଖ) ର ଛାତ୍ର, ଛାତ୍ରୀ। ଶିଶୁ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଯୋଜନା ଉପରେ ଯୋଜନା କରୁଥିବା ବେଳେ ପ୍ରକୃତ ପକ୍ଷେ ଏହି ଯୋଜନା ର ଏକ ବିକଳ ଚିତ୍ର ଏହି ଅଙ୍ଗନୱାଡିକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି। ଚମ୍ପୁଆ ବ୍ଲକ କାର୍ଯ୍ୟାଳୟର ନାକ ତଳେ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱରପୁର ଅଙ୍ଗନୱାଡି କେନ୍ଦ୍ର (କ) ଓ (ଖ) ର ଏହି ଦୁର୍ଦଶାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଲୋକ ସଂଖ୍ୟା ଦୃଷ୍ଟିରୁ ଗ୍ରାମରେ ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଖୋଲା ଯାଇଥିବା ବେଳେ କେନ୍ଦ୍ର ପାଇଁ କିନ୍ତୁ ଗୃହ ନିର୍ମାଣ କରିବାକୁ ସତେ ଯେମିତି ଭୁଲି ଯାଇଛି ପ୍ରଶାସନ । ସେଇଥି ପାଇଁ ଗୋଟିଏ ମାତ୍ର ସେଣ୍ଟରରେ ଦୁଇ ଟି ଅଙ୍ଗନୱାଡି କେନ୍ଦ୍ର ଚାଲୁଥିବା ବେଳେ କେନ୍ଦ୍ରରେ ପାଚେରୀ, ବିଦ୍ୟୁତ ସଂଯୋଗ, ଟ୍ୟାପ ପାଣି ଏପରିକି ପାଇଖାନା ଓ ପରିସ୍ରାଗାର ଖଣ୍ଡେ ନ ଥିବାରୁ କୁନି କୁନି ପିଲା ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୌଚ ହେବା ପାଇଁ ପିଲାମାନେ ଗେଟ ବାହାରରେ ଥିବା ଏକ ବନ୍ଧ ଉପରେ ନିର୍ଭର କରୁଛନ୍ତି। ଯାହାକୁ ନେଇ ଗ୍ରାମରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଏଥିପ୍ରତି ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି।
Related Stories
December 21, 2024