ବ୍ରିଟିଶ ବିରୋଧୀ ଜନଜାତି ବିପ୍ଳବର ଯଥାର୍ଥ ମଉଡ଼ମଣି ଥିଲେ ଚକରା ବିଷୋୟୀ- ମନ୍ତ୍ରୀ ଶ୍ରୀ ଆରୁଖ
ଭୁବନେଶ୍ୱର- ଜଣେ ନିଃସ୍ୱାର୍ଥପର, ସଚ୍ଚା ଦେଶପ୍ରେମୀ, ସାହସୀ ବିପ୍ଳବୀ ଭାବରେ ଚକରା ବିଷୋୟୀଙ୍କ ତ୍ୟାଗ, ତିତିକ୍ଷା, ଆତ୍ମୋତ୍ସର୍ଗ ଓ ବଳିଦାନ ଅବିସ୍ମରଣୀୟ । ସେ ଥିଲେ ବ୍ରିଟିଶ ବିରୋଧୀ ଜନଜାତି ବିପ୍ଳବର ଯଥାର୍ଥ ମଉଡ଼ମଣି ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ମତପ୍ରକାଶ କରିଛନ୍ତି ।
ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ତରୁଣ କଳାକାର ସଂସ୍ଥା, ଭଞ୍ଜନଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ମହାନ ବିପ୍ଲବୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ୧୯୪୨ରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତଛାଡ଼ ଆନ୍ଦୋଳନର ୧୦୦ ବର୍ଷ ପୂର୍ବରୁ ଘୁମୁସର ବିଦ୍ରୋହ, ବିଶେଷ କରି କନ୍ଧ ଜନଜାତିଙ୍କ ମେଳି ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଇଂରେଜ ଶାସକମାନଙ୍କ ଅତ୍ୟାଚାର, ଅବିଚାରିତ ଭାବେ ଖଜଣା ଆଦାୟ, ଜମିଦାର ଓ ସାହୁକାରମାନଙ୍କୁ ଅଯଥା ପ୍ରୋତ୍ସାହନ ଏବଂ ଜନଜାତିଙ୍କ ସ୍ୱାଧୀନ ଆଚାର-ବ୍ୟବହାରରେ ହସ୍ତକ୍ଷେପ, ଏପରିକି ଦଣ୍ଡବିଧାନ ଗଞ୍ଜାମ ଜିଲ୍ଲା ଘୁମୁସରର ଜନଜାତିମାନଙ୍କୁ ପ୍ରବଳ ବିରୋଧ କରିବାକୁ ବାଧ୍ୟ କରିଥିଲା । ଦୋରା ବିଷୋୟୀଙ୍କ ସଂଗ୍ରାମକୁ ପ୍ରତିହତ କରି ଇଂରେଜ ଶାସକ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଚାହିଁଥିଲାବେଳେ ତାଙ୍କ ପୁତୁରା ଚକରା ବିଷୋୟୀ ଜନଜାତି ବିଦ୍ରୋହର ମଙ୍ଗ ଧରିଥିଲେ । ଘୁମୁସର ବିଦ୍ରୋହର ମହାନାୟକ ଥିଲେ ଚକରା ବିଷୋୟୀ । ଜନଜାତି ଲୋକଙ୍କୁ ମେଳିକରି ଘୁମୁସର ମାଟିରେ ଇଂରେଜ ବିରୋଧରେ ସେ ଯେଉଁ ଯୁଦ୍ଧ ଆରମ୍ଭ କଲେ ତାହା ଅତ୍ୟନ୍ତ ରୋମାଂଚକର, ଲୋମହର୍ଷକ, ଭୟପ୍ରଦ ଥିଲା । ଚକରାଙ୍କ ନେତୃତ୍ୱରେ ଜନଜାତିମାନେ ଗରିଲା ଯୁଦ୍ଧ କରି ଇଂରେଜମାନଙ୍କୁ ଅସହାୟ କରିଦେଇଥିଲେ । ୧୮୪୨ରୁ ୧୮୫୬ ପର୍ଯ୍ୟନ୍ତ ପ୍ରାୟ ୧୫ବର୍ଷ ଧରି ଚକରା ବିଷୋୟୀଙ୍କ ବିପ୍ଳବକୁ ଦମନ କରିବା ପାଇଁ ବ୍ରିଟିଶର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଏହି ସଂଗ୍ରାମ କେବଳ ଘୁମୁସର ମଧ୍ୟରେ ସୀମାବଦ୍ଧ ନରହି ବୌଦ୍ଧ, ଅନୁଗୋଳ, ସୋନପୁର, ମଦନପୁର, ଭରତପୁର, ତେଲନଦୀ ଉପତ୍ୟକ, କଳାହାଣ୍ଡି, ଜୟପୁର, ବଡ଼ଖେମୁଣ୍ଡି, ସାନଖେମୁଣ୍ଡି, ପାଟନା ଓ ପାରଳାଖେମୁଣ୍ଡି ଯାଏଁ ବ୍ୟାପୀ ଯାଇଥିଲା । ବିଭିନ୍ନ ସ୍ଥାନରେ ଚକରାଙ୍କ ସହଯୋଗୀମାନେ ବିପ୍ଳବ ଚଳାଇ ଏହାକୁ ଆହୁରି ଶକ୍ତିଶାଳୀ କରିଥିଲେ । ୧୮୫୬ରେ ଇଂରେଜମାନଙ୍କର ସମସ୍ତ ଚେଷ୍ଟା ସତ୍ୱେ ସେମାନଙ୍କ ସହ ସନ୍ଧି କରିବାକୁ ଚକରା ପ୍ରତ୍ୟାଖ୍ୟାନ କରିଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ମଧ୍ୟ ବିପ୍ଳବର ଏହି ଲେଲିହାନ ବହ୍ନିଶିଖା ନିର୍ବାପିତ ହୋଇନଥିଲା ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ମତବ୍ୟକ୍ତ କରିଥିଲେ । ଚକରାଙ୍କ ଜୀବନୀ ବିଦ୍ୟାଳୟସ୍ତରୀୟ ପାଠ୍ୟପୁସ୍ତକରେ ସ୍ଥାନ ପାଇବା ଉଚିତ୍ ବୋଲି ସେ ମତ ଦେଇଥିଲେ । ଚକରାଙ୍କ କର୍ମଭୂମି ଭଞ୍ଜନଗର ଠାରେ ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ସ୍ଥାପିତ ହୋଇସାରିଛି । ମାତ୍ର ରାଜଧାନୀ ଭୁବନେଶ୍ୱର ଠାରେ ଏହି ମହାନ ବିପ୍ଳବୀଙ୍କ ଏକ ସୁଦୃଶ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତି ସ୍ଥାପିତ ହେବା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଥିଲେ ।
ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଐତିହାସିକ ପ୍ରଫେସର ନାରାୟଣ ରାଓ କହିଲେ ଯେ ବିଦେଶୀ ଇଂରେଜ ଶାସନ ଶୃଙ୍ଖଳରୁ ଦେଶ ମାତୃକାକୁ ମୁକ୍ତ କରିବା ପାଇଁ ବିଦ୍ରୋହୀ ବୀର ଚକରା ବିଷୋୟୀଙ୍କ ଆଜୀବନ ସଂଗ୍ରାମର ପଟାନ୍ତର ନାହିଁ । ସେ ୧୮୩୬ରୁ ୧୮୫୬ ଯାଏଁ ୨୦ବର୍ଷ କାଳ ଇଂରେଜ ସରକାରଙ୍କ ସହିତ ଲଢ଼େଇ କରିଥିଲେ । ଦକ୍ଷିଣରେ ଘୁମୁସର(ଆଜିର ଭଞ୍ଜନଗର)ଠାରୁ ଆରମ୍ଭ କରି ପଶ୍ଚିମରେ ଅନୁଗୁଳ ଯାଏ ଏକ ବିରାଟ ଅଂଚଳରେ ସେ ବିଦ୍ରୋହର ନିଆଁ ବିଂଚି ଦେଇଥିଲେ । ତାଙ୍କ ଯୋଗୁଁ ଫିରିଙ୍ଗି ଫଉଜଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା ଓ ଇଂରେଜ ଶାସନ ଥରହର ହୋଇପଡ଼ିଥିଲା । ଘୁମୁସର ରାଜାଙ୍କୁ ରାଜଗାଦିରେ ବସାଇବା ପାଇଁ ତାଙ୍କର ପଣକୁ ରକ୍ଷା କରିବାକୁ ଶେଷ ଜୀବନ ଯାଏଁ ଚେଷ୍ଟା କରିଥିଲେ । ଅଭାବ ଅସୁବିଧା, ଦୁଃଖକଷ୍ଟ ତାଙ୍କୁ ଲକ୍ଷ୍ୟ ପଥରୁ ଦୂରେଇ ଦେଇନଥିଲା । ସେ ଗୋଟିଏ ଦୀପଶିଖା ପରି ନିଜକୁ ତିଳତିଳ କରି ଜାଳି ଦେଇଥିଲେ । ମୁକ୍ତିର ଆଲୁଅ ଅପେକ୍ଷାରେ ସେ ରହିଥିଲେ ଶେଷ ପର୍ଯ୍ୟନ୍ତ । ନିଜ ଜୀବନଦୀପକୁ ଜଙ୍ଗଲର ଘନ ଅନ୍ଧକାର ଭିତରେ ଲିଭାଇ ଦେଇଥିଲେ । ଚକରା ବିଷୋୟୀ କେବଳ ଓଡ଼ିଶା କାହିଁକି, ସମଗ୍ର ଦେଶବାସୀଙ୍କର ଚିର ନମସ୍ୟ ହୋଇରହିବେ । ତାଙ୍କର ଏକନିଷ୍ଠ ଦେଶଭକ୍ତି ଓ ବୀରତ୍ୱ କାଳକାଳ ଧରୀି ଏ ଜାତିର ପରମ ଗର୍ବ ଓ ଗୌରବର ବିଷୟ ହୋଇ ରହିଥିବ ବୋଲି ଶ୍ରୀ ରାଓ ମତବ୍ୟକ୍ତ କରିଥିଲେ ।
ଜୟନ୍ତୀ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ଅତିଥିମାନେ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କ ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ଦେଇ କହିଲେ ଯେ, ଚକରା ବିଷୋୟୀଙ୍କ ଦେଶଭକ୍ତି ଓ ଜୀବନାଦର୍ଶ ଅନନ୍ୟ । ଓଡ଼ିଶାର ଘନ ବଣ ଜଙ୍ଗଲରେ ଖରା, ବର୍ଷା, ଶୀତ, କାକର ମଧ୍ୟରେ ସେ ଜୀବନ କଟାଇଥିଲେ । ସାହେବ ଶାସକମାନଙ୍କର ଯେତେ ପ୍ରଲୋଭନ ଆଉ ପ୍ରଚେଷ୍ଟା ସେସବୁକୁ ସେ ପଣ୍ଡ କରିଦେଇଥିଲେ । ନିଜର ବ୍ୟକ୍ତିଗତ ଲାଭ ଉଠାଇବାକୁ ସେ ଚାହିଁନଥିଲେ । ଜାତି ଆଉ ଦେଶର ସ୍ୱାଧୀନତା ଓ ସମ୍ମାନକୁ ସେ ବଡ଼ ମନେ କରିଥିଲେ । ତାଙ୍କ ଆତ୍ମୋତ୍ସର୍ଗ ଓ ବଳିଦାନର ଗାଥା ଚିରକାଳ ଧରି ଓଡ଼ିଶା ଜାତିକୁ ଉଦବୁଦ୍ଧ କରୁଥିବ ।
ସୂଚନା ଅଧିକାରୀ ଶ୍ରୀ ସଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ଶ୍ରୀ ମନ୍ମଥ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକ ଓ ସହ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ନେତାଜୀ ବିଷୋୟୀଙ୍କ ଦ୍ୱାରା ଲିଖିତ ଜନଜାତି ମହାନାୟକ ବିପ୍ଳବୀ ବୀର ଚକରା ବିଷୋୟୀ ଶୀର୍ଷକ ପୁସ୍ତିକା ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଦିବସ ଉପଲକ୍ଷେ ଅନୁଷ୍ଠିତ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସଭା ପରେ ପରେ ଶ୍ରୀ ଶ୍ରୀ ଦଧିବାମନ ଢୁମ୍ପା ସଙ୍ଗୀତ କଳାପୀଠ, ଦିଗପହଣ୍ଡି, ଗଞ୍ଜାମର କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।
Related Stories
November 23, 2024