
କନ୍ଧମାଳ- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ କନ୍ଧମାଳ ଗ୍ରସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲାର ଶିକ୍ଷା ସମ୍ପର୍କୀତ ବିଭିନ୍ନ ବିଷୟରେ ଆଜି ସମୀକ୍ଷା କରିଥିଲେ । କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଶିକ୍ଷା ସମ୍ପର୍କୀତ ବିଭିନ୍ନ ସମସ୍ୟାକୁ ସୂଚାଇବା ସହ ସେଗୁଡ଼ିକର ସମାଧାନ ଦିଗରେ ନିଆଯାଉଥିବା ପଦକ୍ଷେପ ଗୁଡ଼ିକ ଉପରେ ସୂଚନା ପ୍ରଦାନ କରିଥିଲେ । ନିୟମିତ ବ୍ୟବଧାନରେ ସମଗ୍ର ଶିକ୍ଷାର ପଦାଧିକାରୀମନଙ୍କୁ ନେଇ ସମୀକ୍ଷା କରି ସମସ୍ୟା ସମାଧାନ ପାଇଁ ବିଭିନ୍ନ ସମୟରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନ ପତ୍ରର ଢାଞ୍ଝା ବଦଳିବା ଜନିତ ଅସୁବିଧାକୁ ଦୂର କରିବା ଲାଗି ପିଲାମାନଙ୍କୁ ଅଭ୍ୟସ୍ତ କରାଯିବାକୁ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଆଗୁଆ ଭାବେ ପରାମର୍ଶ ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରତିଦିନ ତିନୋଟି ଟିମ୍ ଅତର୍କୀତ ଭାବରେ ଅନ୍ୟାନ୍ୟ କାର୍ଯ୍ୟାଳୟ ସହିତ ବିଦ୍ୟାଳୟ ପରିଦର୍ଶନ କରି ପାଠ ପଢ଼ାଉଛନ୍ତି । ସେମାନେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତି, ପିଲାମାନଙ୍କ ଉପସ୍ଥିତି, ମଧ୍ୟାନ୍ନ ଭୋଜନ ଏବଂ ବିଦ୍ୟାଳୟର ସମସ୍ୟା ଗୁଡ଼ିକୁ ମଧ୍ୟ ତଦାରଖ କରୁଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଗତ ବର୍ଷର ମାଟ୍ରିକ୍ ଫଳାଫଳର ପୁନରାବୃତି ନହେବାକୁ ପରାମର୍ଶ ଦେଇଥିଲେ । ତେବେ ସେଥିରେ ସୁଧାର ଆଣିବା ପାଇଁ ଜିଲ୍ଲପାଳଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଗୁଡ଼ିକର ପ୍ରଶଂସା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ସୂଚନା ଆଧାରରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ଜାଣିବାକୁ ପାଇଥିଲେ । ସେଥିପାଇଁ ଆଗକୁ ପଦକ୍ଷେପ ନିଶ୍ଚୟ ନିଆଯିବ । ତେବେ ସେହି ଶିକ୍ଷକମାନେ ଟିକେ ଅଧିକ ପରିଶ୍ରମ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ସି.ଆର୍.ସି.ମାନେ ପ୍ରାୟ ସମୟରେ ବିଦ୍ୟାଳୟ ପରିଦର୍ଶନରେ ଯାଉଛନ୍ତି । ସେମାନେ ଚାହିଁଲେ ପାଠପଢ଼ାରେ ଉନ୍ନତି ଆଣିପାରିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଏବଂ ପ୍ରଶ୍ନପତ୍ର ରହୁଥିବା ସ୍ଥାନରେ ସି.ସି. ଟି.ଭି.ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଏହି ଜିଲ୍ଲାର ୭ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ । ଜାନୁଆରୀ ୩୧ ତାରଖ ସୁଦ୍ଧା ପଦୋନ୍ନତି ପାଇବାକୁ ଥିବା ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବ ବୋଲି କହିଥିଲେ । ସି.ଆର୍.ସି. ମାନେ ପାଠ ପଢ଼ା ସହିତ ପିଲାମାନଙ୍କର ମଧ୍ୟାନ୍ନ ଭୋଜନର ମାନ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛିଯେ, ଜିଲ୍ଲାର ସମୁଦାୟ ୧୦୦ ବିଦ୍ୟାଳୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ମଧ୍ୟାନ୍ନ ଭୋଜନ ଯୋଗାଇ ଦିଆଯିବ । ତେବେ ଏହାକୁ ବୃଦ୍ଧି କରିବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗୋଟିଏ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟ କରୁଥିବା କ୍ଲର୍କମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ନିଜସ୍ୱ କାର୍ଯ୍ୟାଳୟ ନଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଅଟକଳ ବ୍ୟୟ ସହ ଆବଦନ କରିବାକୁ ପରାମର୍ଶ ଦେଇଥିଲେ । ଏଣିକି ଦୂରତାକୁ ଦୃଷ୍ଟିରେ ରଖି କେଉଁ ବିଦ୍ୟାଳୟକୁ ବନ୍ଦ କରାଯିବ ବା ବନ୍ଦ କରାନଯିବ ତାହା ଜିଲ୍ଲାପାଳ ମାନେ ସି୍ଥର କରିବେ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର ଦୂରତାକୁ ଦୃଷ୍ଟିରେ ରଖି ଗୋଚ୍ଛାପଡ଼ା ଓ ଚକାପାଦ କିମ୍ବା ବ୍ରହ୍ମଣପାଦ ଠାରେ ମହାବିଦ୍ୟାଳୟ ସ୍ଥାପନ କରିବାକୁ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସେହିପରି ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଆକାଂକ୍ଷା ପ୍ରଧାନ ବାଳିକା ଉଚ୍ଚ ବିଦ୍ୟାଳୟ ଓ ହଷ୍ଟେଲ ସ୍କୁଲ୍ ଗୁଡ଼ିକରେ ପ୍ରଧାନ ଶିକ୍ଷକ ବଦଳରେ ପ୍ରଧାନ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଥିଲେ । ଅନ୍ ଲାଇନ୍ ବଦଳି ଫଳରେ ଦେଖାଯାଉଛିଯେ, କମ୍ ପିଲା ଥିବା ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ପାଉଛନ୍ତି ଓ ଅଧିକ ପିଲା ଥିବା ବିଦ୍ୟାଳୟରେ କମ୍ ଶିକ୍ଷକ ନିଯୁକ୍ତି ପାଉଛନ୍ତି ବୋଲି ଶ୍ରୀମତୀ ପ୍ରଧାନ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ମାନ୍ୟବର ମନ୍ତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଯୋଜନା ସଂଯୋଜକ ଶ୍ରୀମତୀ ଅର୍ଚ୍ଚନା ପଣ୍ଡା ପାୱାର ପଏଣ୍ଟ ମାଧ୍ୟମରେ ତଥ୍ୟ ପ୍ରଦାନ କରିଥିଲେ । ଉକ୍ତ ସମୀକ୍ଷା ବୈ÷ଠକରେ ମାନ୍ୟବର ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହଁରଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ଏବଂ ରାସ୍ତା ଓ କୋଠାବାଡ଼ି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଶିକ୍ଷା ବିଭାଗର ସମସ୍ତ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO