ଭୁବନେଶ୍ୱର– ବହୁଚର୍ଚ୍ଚିତ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ଏବଂ ଭାଇରାଲ ଅଡ଼ିଓ ସମ୍ବନ୍ଧରେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆନଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଭାଇରାଲ ଅଡ଼ିଓରେ ଯେଉଁ ସ୍ୱରଟି ଶୁଭୁଛି ତାହା ଭୁବନେଶ୍ୱରର ଜଣେ ବିଧାୟକ ବୋଲି ପୁନଃଦାବି କରିବା ସହ ଏହାର ତଦନ୍ତ ସଠିକ୍ ଭାବେ ହେଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ । ଯୁବ କଂଗ୍ରେସ ତରଫରୁ ସରକାର ଏବଂ ପ୍ରଶାସନକୁ ଚେତାଇ ଦିଆଯାଇଛି ଯେ, ଆଗାମୀ ୨୪ ଘଂଟା ମଧ୍ୟରେ ଯଦି ରୁଚୀକା ମହାନ୍ତି ଆତ୍ମହତ୍ୟା ଘଟଣା ତା ସହିତ ଭାଇରାଲ ହେଇଥିବା ଅଡ଼ିଓରେ ଭୁବନେଶ୍ୱରର କେଉଁ ବିଧାୟକଙ୍କର ସଂପୃକ୍ତ ଅଛି ତାହା ଯଦି ସ୍ପଷ୍ଟ ନ କରାଯାଏ ଏବଂ ଏହାର ତଦନ୍ତ ରିପୋର୍ଟ ସାର୍ବଜନୀନ ନ କରାଯାଏ ତାହାଲେ ଯୁବ କଂଗ୍ରେସ ତରଫରୁ କମିସନରେଟ୍ କାର୍ଯ୍ୟାଳୟ ସହ ପୁଲିସ୍ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇବ । ଏହାସହ ଓଡ଼ିଶାର ପ୍ରତ୍ୟେକଟି ଗାଁ ଗାଁ ରେ ସରକାରଙ୍କର ନାରୀ ନିର୍ଯ୍ୟାତନା ନୀତିକୁ ଲୋକଙ୍କ ପାଖରେ ପହଂଚାଇ ନବୀନ ସରକାରର ଅସଲ ଚେହେରାର ଖୋଲାସା କରିବ ବୋଲି କଂଗ୍ରେସ ଭବନ ଠାରେ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁଦିପ୍ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଗୋପନ ମାର୍ଥା, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ୍, ସ୍ୱାଗତ କର, ବଳରାମ ନନ୍ଦ, ମହମ୍ମଦ ପରଭେଜ୍ ଉପସ୍ଥିତ ଥିଲେ ।