![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମତଦାନ ଗଣତନ୍ତ୍ର ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା।ସମସ୍ତ ମତଦାତା ନିଶ୍ଚିତ ମତଦାନ କରନ୍ତୁ ବୋଲି ନିର୍ବାଚନ କମିଶନରଙ୍କ ଇଛା।ସେଥିପାଇଁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ ପାଇଁ ଭାରତର ନିର୍ବାଚନ କମିଶନର ବ୍ୟବସ୍ଥା କରିଛନ୍ତି ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।୮୫ ବର୍ଷ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ମତଦାତା ଯେଉଁ ମାନଙ୍କ ପାଖରେ ଶତକଡ଼ା ୪୦ ଭାଗରୁ ଅଧିକ ଭିନ୍ନକ୍ଷମତା ପ୍ରମାଣପତ୍ର ରହିଥିବ, କୋଭିଡ ୧୯ ରେ ଆକ୍ରାନ୍ତ ବା ସନ୍ଦିଗ୍ଧ ବ୍ୟକ୍ତି ଏବଂ ଯେଉଁ ମତଦାତା ମାନେ ଜରୁରୀ ଦାୟିତ୍ୱ ବା ଇଲେକ୍ଟରସ ଅନ ଏସେନସିଆଲ ଡ୍ୟୁଟିରେ ଥିବେ।ଏହି ବର୍ଗର ଭୋଟର ମାନେ ଯଦି ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବା ପାଇଁ ଆଗ୍ରହୀ ହୁଅନ୍ତି ତେବେ ସେମାନେ ସଂପୃକ୍ତ ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ଙ୍କୁ ଫର୍ମ ୧୨ଡି ମାଧ୍ୟମରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶନ ର ୫ ଦିନ ମଧ୍ୟରେ ଆବେଦନ କରିବା ଜରୁରୀ।ଏହାକୁ ଅନୁଧ୍ୟାନ କରିବା ପରେ ସଂପୃକ୍ତ ରିଟର୍ଣ୍ଣିଂ ଅଫିସର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।ସେହିପରି ନିର୍ବାଚନ ଡ୍ୟୁଟିରେ ନିୟୋଜିତ ମତଦାତା ମାନେ ମଧ୍ୟ ପୋଷ୍ଟାଲ ବାଲାଟ ମାଧ୍ୟମରେ ରିଟର୍ଣ୍ଣିଂ ଅଫିସର ଙ୍କ ଦ୍ବାରା ପ୍ରସ୍ତୁତ ସହାୟତା କେନ୍ଦ୍ର ଠାରେ ମତଦାନ କରି ପାରିବେ।ସର୍ଭିସ ଭୋଟର ମାନେ ଇ ଟି ପି ବି ଏମ ଏସ ବା ଇଲେକ୍ଟ୍ରୋନିକାଲି ଟ୍ରାନସମିଟେଡ ପୋଷ୍ଟାଲ ବାଲାଟ ମ୍ୟାନେଜମେଣ୍ଟ ସିଷ୍ଟମ ମାଧ୍ୟମରେ ମତଦାନ କରି ପାରିବେ ବୋଲି ନିର୍ବାଚନ କମିଶନର ବ୍ୟବସ୍ଥା କରିଛନ୍ତି।ଏହାକୁ ପୁରୀ ଜିଲ୍ଲାରେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।ଆଗ୍ରହୀ ଭୋଟର ମାନେ ଏହାର ସୁବିଧା ନେବା ପାଇଁ ସେ ଅନୁରୋଧ କରିଛନ୍ତି।