ରାଉରକେଲା- ଗତକାଲି ପୁରୀରୁ ହାଟିଆ ଅଭିମୁଖେ ଛାଡିଥିବା ତପସ୍ୱିନୀ ଏକ୍ସପ୍ରେସ୍ ଟ୍ରେନ ଦିର୍ଘ ୬ଘଂଟା ବିଳମ୍ବ ହେବାରୁ ଏଥିରେ ଯାତ୍ରା କରୁଥିବା ଯାତ୍ରୀ ମାନେ ନାହିଁ ନଥିବା ସମସ୍ୟାରେ ପଡିଥିବା ଜଣାପଡିଛି । ଏହି ଗାଡିରେ ଯାତ୍ରା କରୁଥିବା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ରେଳ ବିଭାଗର ଏଭଳି କାରବାରକୁ ଦୁର୍ଭାଗ୍ୟଜନକ ବୋଲି କହି ଆଜି ଦିନ ୧ଟା ୨୦ ମିନିଟରେ ରାଉରକେଲାରେ ଓହ୍ଲାଇଛନ୍ତି । ଗତକାଲି ଏହି ଗାଡି ଭୁବନେଶ୍ୱର ଛାଡିବା ପରେ ଯାତ୍ରୀ ମାନେ ଶୋଇପଡିଥିଲେ । ହଠାତ ଅନୁଗୁଳ ପାଖରେ ଗାଡି ଅଟକି ରହିବା ଓ ଇଂଜିନ ଖରାପ ଥିବା ଜଣାପଡିବା ସହ ସେଠାରେ ଗାଡି ୩ ଘଂଟା କାଳ ଅଟକି ରହିଥିଲା । ପରେ ଗାଡି ଛାଡିଥିବା ବେଳେ ପୁଣି କିଛି ବାଟ ପରେ ଗାଡିର ଇଞ୍ଜିନ୍ ଫେଲ୍ ମାରିଥିଲା । ସେଠାରେ ୩ ଘଂଟା କାଳ ରହିବା ପରେ ନୂଆ ଇଂଜିନ ଆସି ଏହି ଗାଡିକୁ ଆଣିଥିଲା । ଏହାରି ଭିତରେ ସାଂସଦ ଜୁଏଲ ବିଭାଗୀୟ ଅଧିକାରୀ ମାନଙ୍କୁ ଯୋଗାଯୋଗ କରି ସେଭଳି ସୁଫଳ ପାଇନଥିବା କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ମୋଟ ଛଅ ଘଂଟା ଗାଡି ବିଳମ୍ବ ହେବାରୁ ଗାଡିରେ ପାଣି, ଖାଦ୍ୟ ଓ ବିଜୁଳି ସମସ୍ୟା ହେବା ସହ ଏଥିରେ ଯାତ୍ରା କରୁଥିବା ବୃଦ୍ଧ ବୃଦ୍ଧା, ଛୋଟ ପିଲାଙ୍କ ସମେତ ସମସ୍ତ ଯାତ୍ରୀ ବହୁ ସମସ୍ୟାରେ ପଡିଥିଲେ ।ଏହାର ଫାଇଦା ନେଇଥିଲେ ବାହାର ଖାଦ୍ୟ ଓ ପାଣି ବିକାଳି । ସକାଳୁ ଚା ଟିକେ ମିଳିବା କଷ୍ଟକର ହୋଇ ପଡିଥିଲା । ଜଳଖିଆ କଥା ପଚାରେ କିଏ । କାରଣ ଏହି ଗାଡି ହାଟିଆ ଯାଏ ପହଁଚିବା ସମୟ ୧୧ ଅନୁସାରେ ଖାଦ୍ୟ ଉତ୍ୟାଦି ରଖା ଯାଇଥାଏ । ଗାଡି ବିଳମ୍ବ ହେବାରୁ ସବୁ କିଛି କ୍ୟାଟରିଂରୁ ସରିଯାଇଥିଲା । ଫଳରେ ଯାତ୍ରୀ ନାନା ସମସ୍ୟା ଦେଇ ଯାତ୍ରା କରିଥିଲେ । ଗତକାଲି ଏହି ଗାଡି ପୁରୀରୁ ଛାଡିବା ଆଗରୁ ଏଥିରେ ସମସ୍ୟା ଥିବା ନେଇ କୁଆଡେ କିଛି ଚାଳକ କହିଥିଲେ । ମାତ୍ର ଏନେଇ କୌଣସି ଅଧିକାରୀ କର୍ଣ୍ଣପାତ ନକରି ଗାଡିକୁ ଛାଡିଦେଇଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।
ଯାତ୍ରୀ ମାନେ ବିରକ୍ତି ପ୍ରକାଶ କରି କହିଛନ୍ତି, ନିକଟରେ ସରକାର ରେଳ ଭଡ଼ା ବଢାଇଲେ, ହେଲେ ଏହି ଲାଇନରେ କେତେବେଳେ ଇଂଜିନ ଖରାପ କେତେବେଳେ ଡବା ଧାରଣାରୁ ବାହାରି ଯାଉଛି ତ ଆଉ କେତେବେଳେ ଡବାକୁ ଛାଡି ଇଂଜିନ ପଳାଇଯାଉଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।