ଫୁଲବାଣୀ ଠାରୁ ମାତ୍ର ୫ କି.ମି. ଦୂରରେ ଡ଼ାତପାଜୁ ଠାରେ ପ୍ରାଣୀ ବିଭାଗର ରହିଛି ଏକ ଫାର୍ମ । ୫ ଏକର ଜମିରେ ରହିଛି ଏହି ଫାର୍ମ । ହେଲେ ଛେଳି ଅଛନ୍ତି ମାତ୍ର ହାତଗଣତି ୧୦ରୁ ୧୫ଟି । ଏଗୁଡିକୁ ଜଗିବା ଲାଗି ଅଛନ୍ତି ପ୍ରାଣୀ ଚିକିତ୍ସକ, ଫାର୍ମ ମ୍ୟାନେଜର, ଜଣେ ଏଲ.ଆଇ , ତା’ସାଙ୍ଗକୁ ୨/୩ ଜଣ ଅସ୍ଥାୟୀ ଶ୍ରମିକ । ଏମିତି ଚାଲିଛି ଛେଳି ଚାଷ । ଗତ ୨୦୧୧ ମସିହାରେ ରାଜସ୍ଥାନରୁ ଶିରୋହୀ ପ୍ରଜାତିର ହାଇବ୍ରିଡ ଛେଳି ଶହେଟି ଅଣାଯାଇଥିଲା । ଦୀର୍ଘ ୯ ବର୍ଷ ମଧ୍ୟରେ ଛେଳି ସଂଖ୍ୟା ଅନ୍ତତଃ ୯ଗୁଣ ବଢିବା କଥା । ହେଲେ ଅଛନ୍ତି ୧୫ରୁ ୨୦ । ସରକାରୀ ପଦାଧିକାରୀଙ୍କ ଭୁଲ୍ ନିଷ୍ପତି ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା । ଗତ ୯ ବର୍ଷ ମଧ୍ୟରେ ରକ୍ଷଣା ବେକ୍ଷଣ ବାବଦରେ ମଧ୍ୟ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିବ । ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ମଧ୍ୟ ଯୋଜନା ବିଫଳ ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି । ହେଲେ କ୍ଷତିର ଭରଣା ପାଇଁ ବ୍ୟବସ୍ଥା ଓ ଦାୟୀ ଅଫିସର ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ଏଯାଏଁ । ବର୍ତମାନ ୧୮୧ଟି ସମବାୟ ସମିତି ଗଠନ କରାଯାଇଥିବା କଥା ସେ କହିଛନ୍ତି । ଏହି ସମିତି ମାଧ୍ୟମରେ ଛେଳି ଚାଷ କରାଯିବ । ଆଉ ସେମାନେ ଲାଭବାନ୍ ହେବେ ବୋଲି ଅଧିକାରୀ ଜଣକ କହିଛନ୍ତି । ତେବେ, ହାଇବ୍ରିଡ୍ ଛେଳିଚାଷ ଯୋଜନା କାହିଁକି ବିଫଳ ହେଲା ଓ ଏଥିପାଇଁ ଦାୟୀ କିଏ? ତା’ର ନିରପେକ୍ଷ ତଦନ୍ତ କରାଯାଇ ସଂପୃକ୍ତ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲାଗି ସମାଜସେବୀ ତଥା ସୂଚନା ଅଧିକାର କର୍ମୀ ମହମ୍ମଦ ଜିଆଉଦ୍ଦିନ ଦୃଢ଼ ଦାବୀ କରିଛନ୍ତି ।
Related Stories
November 27, 2024
November 27, 2024