କନ୍ଧମାଳ- ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ୨୦୧୧ ଜନଗଣନା ହିସାବରେ ମୋଟ ୭ ଲକ୍ଷ ୩୩ ହଜାର ୧୧୦ ଲୋକ ବସବାସ କରୁଛନ୍ତି । ଜିଲ୍ଲାର ୧୨ଟି ବ୍ଲକରେ ମୋଟ୍ ୧୭୧ ଗ୍ରାମପଂଚାୟତ ରହିଛି । ସେହିପରି ଜିଲ୍ଲାରେ ମୋଟ ୨ ହଜାର ୫୧୫ ଗାଁ ଓ ପଡା ରହିଛି । ମୋଟ ଜନସଂଖ୍ୟା ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୯୪୫ ଥିବାବେଳେ ମହିଳାଙ୍କ ସଂଖ୍ୟା ୩ ଲକ୍ଷ ୭୩ ହଜାର ୧୬୫ ରହିଛି । ଏମାନଙ୍କ ମଧ୍ୟରୁ ମୋଟ ୩ ଲକ୍ଷ ୩୩ ହଜାର ୩୨୪ ଜଣ ନିରକ୍ଷର ଥିବା ଜଣାପଡିଛି ।
ଜିଲ୍ଲାର ଅଧିକାଂଶ ଆଦିବାସୀ ଓ ହରିଜନ ତଥା ଗରୀବ ମୁଲିଆ, କୃଷି, ଶ୍ରମିକ ଭାବରେ କାମ କରୁଛନ୍ତି । ଜିଲ୍ଲାରେ ମୋଟ୍ ନିରକ୍ଷରଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ଢେର ଅଧିକ । ୨ ଲକ୍ଷ ୭ ହଜାର ୨୭୯ ଜଣ ମହିଳା ନିରକ୍ଷର ଥିବାବେଳେ ୧ ଲକ୍ଷ ୨୬ ହଜାର ୪୫ ଜଣ ପୁରୁଷ ନିରକ୍ଷର ଅଛନ୍ତି । ମହିଳାଙ୍କ ସାକ୍ଷରତା ହାର ୪୮.୭୭ ରହିଛି । ଗ୍ରାମାଂଚଳର ମହିଳା ନିରକ୍ଷର ସଂଖ୍ୟା ଅଧିକା ଥିବା ଜଣାପଡିଛି । ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ସାକ୍ଷରତା ବୃଦ୍ଧି ଘଟୁନାହିଁ । ଅତୀତରେ ସାକ୍ଷରତା ହାର ବଢାଇବା ଲାଗି ସରକାର ସଂପୂର୍ଣ୍ଣ ସାକ୍ଷରତା ଯୋଜନା, ପୋ÷ଢ ଶିକ୍ଷା ଯୋଜନା, ନିଦାନ କାର୍ଯ୍ୟକ୍ରମ, ଜିଲ୍ଲା ପ୍ରାଥମିକ ଶିକ୍ଷା ପ୍ରକଳ୍ପ, ସର୍ବଶିକ୍ଷା ଅଭିଯାନ ଆଦି ଅନେକ ଯୋଜନା ମାନ ପ୍ରଣୟନ କରିଥିଲେ ମଧ୍ୟ ଏସବୁ ଯୋଜନା ସଫଳତା ହାସଲ କରିପାରିନି ଜିଲ୍ଲାରେ । ତେବେ, ସହରାଂଚରେ ସାକ୍ଷରତା ହାର ୮୬.୦୮ ପ୍ରତିଶତ ରହିଛି । ନିରକ୍ଷରତା ଯୋଗୁଁ ଲୋକେ ସଚେତନ ହୋଇପାରୁନାହାଁନ୍ତି । ଫଳରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ମଧ୍ୟ ପାଇପାରୁନାହାଁନ୍ତି । ଅନେକ ସମୟରେ ଠକେଇର ମଧ୍ୟ ଶୀକାର ହେଉଛନ୍ତି । ସରକାରୀ କର୍ମଚାରୀ, ଟାଉଟର ନେତା ଏମାନଙ୍କ ବେଶ୍ ଫାଇଦା ମଧ୍ୟ ଉଠାଉଛନ୍ତି । ସୁବିଧାରେ ଭୋଟ ମଧ୍ୟ ହାତଉଛନ୍ତି । ଏଣୁ, ସାକ୍ଷରତା ହାର ବୃଦ୍ଧି ଦିଗରେ ସରକାର ଦୃଷ୍ଟି ଦେବାଲାଗି ସମାଜସେବୀ ଏବଂ ବିଭିନ୍ନ ମହଲରେ ଦାବୀ ହେଉଛି ।