ଭୁବନେଶ୍ୱର– ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ ଏରସମା ଶିଳ୍ପାଂଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ ବିଜେଡିରେ ଯୋଗ ଦେଇଛନ୍ତି । ମୋନିଦୀପା ହେଉଛନ୍ତି ପାରାଦୀପର ଟାଣୁଆ ନେତା ବାପି ସର୍ଖେଲଙ୍କ ପତ୍ନୀ । ମୋନିଦୀପାଙ୍କ ନେତୃତ୍ୱରେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ଛବିଲତା ରାଉତ ଏବଂ ୯ କାଉନସିଲରଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ରବିବାର ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଓ ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।
ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଶ୍ରୀ ମଙ୍ଗରାଜ, ଶ୍ରୀ ସାହୁ ଓ ଶ୍ରୀ ରାଉତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ମୋନିଦୀପା ସର୍ଖେଲ, ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା, ୯ କାଉନସିଲର ଓ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ପାରାଦୀପ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମଙ୍ଗରାଜ, ଶ୍ରୀ ସାହୁ ଓ ଶ୍ରୀ ରାଉତରାୟ କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ମୋନିଦୀପା ସର୍ଖେଲ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି ।
ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ପାରାଦୀପ ମ୍ୟୁନିସିପାଲିଟି ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରାଦୀପ ସହପର୍ଯ୍ୟବେକ୍ଷକ ସନ୍ତୋଷ ବେଜ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବରେ ପାରାଦୀପ ମ୍ୟୁନିସିପାଲିଟି
ଉପାଧ୍ୟକ୍ଷା ଛବିଲତା ରାଉତ, କାଉନସିଲର ଜୟନ୍ତୀ ମଦେଲି, ସ୍ୱପ୍ନାରାଣୀ ଜେନା, ବନିତା ରାଉତ, ଶୁକ୍ରମୁନି
ନାଗ, ସୌଦାମିନୀ ସାହୁ, ରୁନିବାଳା ପରିଡ଼ା, ଜଗନ୍ନାଧ ରାଓ କମ୍ବଲା, ଯୁବନେତା ମିଟୁ ସ୍ୱାଇଁଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।