ମାଲକାନଗିରି– ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ପୋଲିସ କାର୍ଯ୍ୟାଳୟ ସଭା ଗୃହରେ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମାଲକାନଗିରି ଜିଲ୍ଲା ପୋଲିସ ଅଧୀକ୍ଷକ ନୀତେଶ ୱାଧୱାନୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ତପନ ନାରାୟଣ ରଥ, ଅତିରିକ୍ତ ପୋଲିସ ଅଧୀକ୍ଷକ ଉପସ୍ଥିତ ରହି ନିଜେ ରକ୍ତଦାନ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ମୁଖ୍ୟବକ୍ତା ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ରକ୍ତଦାନର ଉପକାରିତା ଏବଂ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୋଲିସ ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ସତ୍ୟପ୍ରିୟ ବିଶ୍ଵାଳ ଆୟୋଜନ କରିଥିବାବେଳେ କୁମୁଦ ପ୍ରଧାନ, ଗୃହରକ୍ଷୀ ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ, ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ, ହାବିଲଦାର ଏବଂ କନେଷ୍ଟବଳ ସଂଘ ସଭାପତି ପ୍ରଶାନ୍ତ କୁମାର ବେହେରା ଓ ସଂଘର ସମସ୍ତ କର୍ମକର୍ତ୍ତା ପ୍ରତ୍ୟକ୍ଷ ସହଯୋଗ କରି ସଫଳ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପ ପୋଲିସ ନିରୀକ୍ଷକ, ହାବିଲଦାର, କନେଷ୍ଟବଳ, ସ୍ବେଚ୍ଛାସେବୀ, ଅନ୍ୟାନ୍ ନାଗରିକ, ଡ୍ରାଇଭର ମହାସଂଘ, ବୁଦ୍ଧିଜୀବୀ ଏବଂ ଟିମ ଉଇ କ୍ୟାନ ସହଯୋଗ କରିଥିଲେ। ରକ୍ତ ଭଣ୍ଡାର ଡକ୍ଟର ସାଗର ଵାଲା, ଏନ. ସୁବର୍ଣ୍ଣ, ସନ୍ତୋଷ କୁମାର ପତି, ସୁଜଲ ରାୟ, ସରୋଜ କୁମାର ପଣ୍ଡା, ଯୋଗେଶ୍ଵରୀ ମାଢି, ସଂଜୟ କୁମାର ସାଗର ଉପସ୍ଥିତ ରହି ରକ୍ତ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ।
ପୋଲିସ ବିଭାଗର ଏହି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଏହି ଅବସରରେ ୩୮ ଏବଂ ୩୯ ଥର ରକ୍ତଦାନ କରିଥିବାରୁ ନରେନ୍ଦ୍ର ମାଦ୍ରୀ ଏବଂ ଅନୁପ ସୁନାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବାରୁ ପୋଲିସ ବିଭାଗ ତରଫରୁ ଏହିଭଳି ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରି ପ୍ରଶଂସା ସାଉଁଟିଛନ୍ତି। ଏହି ରକ୍ତଦାନ ଶିବିରରେ ୧୦୦ରୁ ଉର୍ଦ୍ଧ୍ବ ରକ୍ତ ନମୁନା ସଂଗ୍ରହ କରାଯାଇଛି।