ଭୁବନେଶ୍ୱର– ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ପୂରଣ ନେଇ ପ୍ରତିଶୃତି ଦେଇଛି ବିଏମସି । ଏହାପରେ ଆନ୍ଦୋଳନରୁ ଓହରିଛନ୍ତି ସଫେଇ କର୍ମଚାରୀ । ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ୩ ଦିନ ଭିତରେ ସଫେଇ କର୍ମଚାରୀଙ୍କ ବର୍ଦ୍ଧିତ ଦରମା ଘୋଷଣା ହେବ । ଆସନ୍ତା ୧୫ ଦିନ ଭିତରେ ଅଳିଆ ପୃଥକୀକରଣ ସଂପର୍କରେ ନିଷ୍ପତି ନିଆଯିବ । ସଫେଇ କର୍ମଚାରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଥିବା ବିଏମସି ମେୟର କହିଛନ୍ତି ।
ସୂଚନା ଅନୁସାରେ ରାଜଧାନୀରେ ସଫେଇ କର୍ମଚାରୀମାନେ ଝାଡୁ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆନ୍ଦୋଳନ ଯୋଗୁଁ ଦୁଇ ଦିନ ହେଲା ରାଜଧାନୀରେ ସଫେଇ କାର୍ଯ୍ୟ ଠପ୍ ହୋଇ ଯାଇଥିଲା । ମଙ୍ଗଳବାର ଦ୍ୱିତୀୟ ଦିନରେ ଆନ୍ଦୋଳନକାରୀମାନେ ବିଏମସି ଅଫିସ ଘେରାଉ କରିଥିଲେ । ଝାଡୁ ବର୍ଜନ କରି ପ୍ରଥମେ ଭୁବନେଶ୍ୱର ରାଜମହଲ ଓଭରବ୍ରିଜ୍ ତଳେ ଶହ ଶହ ସଫେଇ କର୍ମଚାରୀ ଆନ୍ଦୋଳନ କରିଥିଲେ । ପରେ ଶୋଭାଯାତ୍ରାରେ ଯାଇ ବିଏମସି ଅଫିସ ଘେରାଉ କରିଥିଲେ ।
ଉଲ୍ଲେଖନୀୟ ଯେ ଦରମା ୧୫ ହଜାରକୁ ବୃଦ୍ଧି ସହ ଅଳିଆ ପୃଥକୀକରଣକୁ ବିରୋଧ କରି ଆନ୍ଦୋଳନ ଚଳାଇଥିଲେ ସଫେଇ କର୍ମଚାରୀ ।