ଭୁବନେଶ୍ୱର, ବିଜୁ ଜୟନ୍ତୀ ଅବସରରେ ଭୁବନେଶ୍ୱରର ବିଧାନସଭା ଆସନ ଓ ଲୋକ ସଭା ଆସନରେ ପ୍ରାର୍ଥୀତ୍ୱକୁ ନେଇ ବିବାଦ ବଢିବାର ଦେଖିବାକୁ ମିଳିଛି । ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଅମରେଶ ଜେନା ଓ ଏକାମ୍ର ଆସନ ପାଇଁ ବିରଂଚି ନାରାୟଣ ମହାସୁପକାର ତଥା ଲୋକସଭା ଆସନ ପାଇଁ ପୂର୍ବତନ ମେୟର ମିହିର ମହାନ୍ତି ସେମାନଙ୍କର ସମର୍ଥକ ମାନଙ୍କ ସହ ନବୀନ ନିବାସ ପହଂଚି ସେମାନଙ୍କ ପ୍ରାର୍ଥିତ୍ୱ ପାଇଁ ଦାବି କରିଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ଅନନ୍ତ ନାରାୟଣ ଜେନାଙ୍କ ବଦଳରେ ମୋତେ ଟିକେଟ ମିଳୁ ବୋଲି ନବୀନଙ୍କୁ ଭେଟି ଦାବି ରଖିଛନ୍ତି ଦଳର ଚାରି ଚାରି ଥରର କର୍ପରେଟର ଅମରେଶ ଜେନା । ସେ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ନବୀନ ବାବୁ ଯେଉଁ ବିକାଶ ଧାରା ଆରମ୍ଭ କରିଛନ୍ତି ତାହା ମଧ୍ୟ ନିର୍ବାଚନ ମଣ୍ଡଳୀରେ ବ୍ୟାଘାତ ହୋଇଛି । କିପରି ତାହା ଆଉ ନ ହେବ ଏବଂ ନବୀନ ପଟ୍ଟନାୟକଙ୍କର ସବୁ କାମ ସଠିକ ଭାବେ ଲୋକଙ୍କ ପାଖରେ ପହଁଚିବ ସେଥିପାଇଁ ମୁଁ ଚେଷ୍ଟା କରିବି ।
ସେହିପରି ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ନବୀନଙ୍କ କ୍ୟାବିନେଟର ମନ୍ତ୍ରୀ ଥିବା ଅଶୋକ ପଣ୍ଡାଙ୍କ ବଦଳରେ ଯୁବ ଚେହେରା ଭାବେ ମୁଁ ଟିକେଟ ପାଇବା ପାଇଁ ହକଦାର ବୋଲି କହିଛନ୍ତି ଦଳର ଚାରି ଚାରି ଥର କର୍ପରେଟର ବିରଞ୍ଚି ନାରାୟଣ ମହାସୁପକାର ।
ଭୁବନେଶ୍ୱର ପ୍ରଥମ ମେୟର ମିହିର ମହାନ୍ତି ମଧ୍ୟ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ପାଇଁ ନବୀନ ନିବାସ ରେ ବାୟୋ ଡାଟା ଦେଇଛନ୍ତି । ବାୟୋ ଡାଟା ଦେଇ ସାରିବା ପରେ ଗଣ ମାଧ୍ୟମ କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ସାନ ଭଉଣୀ ଶ୍ରୀମୟୀ ବୁଲୁଛି । ସେ ବୁଲିବା ଦ୍ଵାରା ନିର୍ବାଚନ ମଣ୍ଡଳୀରେ କଣ ପ୍ରଭାବ ପଡୁଛି ସେ କଥା କହିବି ନାହିଁଣ । ହେଲେ ମୁଁ କେବଳ ଏତିକି କହି ପାରିବି ଯେ ମୁଁ ଭଲ ଲଢେଇ ଦେଇ ପାରିବି ।