ଭୁବନେଶ୍ବର, ଜୟଦେବର ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ଜଣା ପଡିଛି । ଏହା ବାଦ ସେ ରବିବାର ଦିନ ତାଙ୍କର ସମର୍ଥକ ମାନଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିବେ ବୋଲି ସେ ନିଜେ ସୂଚନା ଦେଇଛନ୍ତି ।
ବିଜେଡିରୁ ଇସ୍ତଫା ଦେବାର କାରଣ ସମ୍ପର୍କରେ ସେ କିଛି ସ୍ପଷ୍ଟ କରି ନାହାନ୍ତି । ଭାରତୀୟ ଜନତା ପାର୍ଟୀରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଅରବିନ୍ଦ ଢାଲି କହିଛନ୍ତି ଯେ ତାଙ୍କର ବିଜେପିରେ ଘର ବାହୁଡା ହେବ ।
ସେ କହିଛନ୍ତି ଯେ ସେ ଆସନ୍ତା କାଲି ବିଜେପିରେ ଯୋଗ ଦେବା । ତାଙ୍କୁ କଣ ଦାୟିତ୍ୱ ଦିଆଯିବ ତାହା ଦଳ ନିଷ୍ପତ୍ତି ନେବ ଓ ନିର୍ବାଚନ ଲଢ଼ିବି, ନ ଲଢ଼ିବି ତାହା ମଧ୍ୟ ଦଳ ନିଷ୍ପତ୍ତି ନେବ ବୋଲି ଶ୍ରୀ ଢାଲି କହିଛନ୍ତି । ଲୋକଙ୍କ ମତାମତ ଗ୍ରହଣ କରି ସେ ବିଜେଡି ଛାଡି ବିଜେପିରେ ସାମିଲ ହେଉଥିବା ସେ ପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ ଯେ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦ ଢାଲି ୬ ଥର ବିଧାୟକ ରହିଛନ୍ତି। ପ୍ରଥମେ ବିଜେପି ଟିକେଟରୁ ବିଧାୟକ ହୋଇଥିବା ଅରବିନ୍ଦ ଢାଲି ପରବର୍ତ୍ତୀ ସମୟରେ ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ବିଜେଡିରେ ସାମିଲ ହୋଇଥିଲେ।