ପୁରୀ- ଜାତୀୟ ସ୍ତରରେ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ପ୍ଲାଟଫର୍ମ ପାଲଟିଥିବା ଗ୍ଲୋରିଫେଷ୍ଟ ଜାନୁଆରୀ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ବୋଲି ଶୁକ୍ରବାର ହୋଟେଲ ଗୋଲଡେନ୍ ପ୍ୟାଲେସଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକମାନେ କହିଛନ୍ତି । ଏହି ସାତଦିନ ବ୍ୟାପୀ ସାଂସ୍କୃତିକ ମହାକୁମ୍ଭ ମେଳା ଗ୍ଲୋରିଫେଷ୍ଟରେ ଦେଶର ବିଭିନ୍ନ ଅଂଚଳରୁ ଆସୁଥିବା ପ୍ରତିଭାମାନଙ୍କୁ ଚୟନ କରାଯିବ । ୨୫ତମ ରୌପ୍ୟଜୟନ୍ତୀରେ ୨୫ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉଦଯାପନୀ ଉତ୍ସବ ତିନିଦିନ ଧରି ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ହେବ । ଉଦଘାଟନ ପୂର୍ବରୁ ସିଂହଦ୍ୱାରଠାରୁ ଶରଧାବାଲି ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାରିବ । ଏଥିରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ସାଂସ୍କୃତିକ ଅନୁଷ୍ଠାନ ସାମିଲ୍ ହେବେ । ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ଝାଡ଼ଖଣ୍ଡର ରାଜ୍ୟପାଳ ଦୌପଦୀ ମୁର୍ମୁ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ପରିଚାଳନା କମିଟିର ଅଧ୍ୟକ୍ଷ ତଥା ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ କହିଲେ, ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଚାପମୁକ୍ତ ହେବା ପାଇଁ ଏହି ସାଂସ୍କୃତିକ ଆନ୍ଦୋଳନ ପୁରୀବାସୀଙ୍କୁ ବେଶ ଆନନ୍ଦ ଦେବ । ପୁରୀର ସଂସ୍କୃତିକୁ ବିଶ୍ୱବ୍ୟାପୀ କରିବା ପାଇଁ ଅନେକ ଉଦ୍ୟମ କରାଯାଉଛି । ଉତ୍ସବ କମିଟିର ଅଧ୍ୟକ୍ଷ ଶଙ୍କର୍ଷଣ ପରିଡା ଯୋଗଦେଇ କହିଲେ, ଏହି ଉତ୍ସବ ସାରା ଭାରତରେ କଲେଜ ପଢୁଆ ଯୁବକ ଯୁବତୀଙ୍କ ମଧ୍ୟରେ ନୂଆ ଉନ୍ମାଦ ସୃଷ୍ଟି କରିଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସାଧାରଣ ସଂପାଦକ ରାଜେଶ କୁମାର ମହାନ୍ତି, ସଂଗଠନ ସଂପାଦକ ନବକିଶୋର ପ୍ରଧାନ, ଉପଦେଷ୍ଟା ଭଗବନା ଜୟସିଂ, ରବିନ୍ଦ୍ର ପ୍ରଧାନ, ସଂଜୀବ ରଥଶର୍ମା, ପ୍ରଦ୍ୟୁମ୍ନ ସାଥୁଆ, ସୌମିତ୍ର ହରିଚନ୍ଦନ, ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।