‘ତପସ୍ୟା ସୃଜନ ସମ୍ମାନ’ ଓ ‘ତପସ୍ୟା ସମ୍ଭାବନା ସମ୍ମାନ’ ପାଇଁ ଯଥାକ୍ରମେ ସୂର୍ଯ୍ୟ ଦେଓ ଓ ଡିଲେଶ୍ଵର ରଣା
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ – ଶିକ୍ଷାଜଗତର ସୁଖ୍ୟାତ ମଣିଷ ଭାବେ ଆଦରଣୀୟ ତପନ କୁମାର ପଣ୍ଡାଙ୍କ ସଂସ୍ଥାପିତ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ସାହିତ୍ୟର ପ୍ରୋତ୍ସାହନ ନିମନ୍ତେ ଗତ ୨୦୧୮ରୁ ଆରମ୍ଭ ହୋଇଛି ତପସ୍ୟା ପୁରଷ୍କାର ଯୋଜନା। ନିକଟରେ ଫାଉଣ୍ଡେସନ ପକ୍ଷରୁ ୨୦୧୯ ବର୍ଷ ପାଇଁ ଏହି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି।
ସୂତ୍ର ଅନୁସାରେ ୫୦’୦୦୦ ହଜାର ଟଙ୍କାର ନଗଦ ଅର୍ଥରାଶି ସହିତ ମାନପତ୍ର ସମ୍ବଳିତ ଫାଉଣ୍ଡେସନର ସର୍ବୋଚ୍ଚ ପୁରସ୍କାର ‘ତପସ୍ୟା ଶାଶ୍ଵତ ସମ୍ମାନ-୨୦୧୯’ ପାଇବେ ଅଶୀତିପର ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ରାୟ ମହାପାତ୍ର। ସେହିପରି ୩୦,୦୦୦ ଟଙ୍କାର ନଗଦ ଅର୍ଥରାଶି ଓ ମାନପତ୍ର ସହ ‘ତପସ୍ୟା ସୃଜନ ସମ୍ମାନ-୨୦୧୯’ରେ ସମ୍ବର୍ଦ୍ଧିତ ହେବେ ପୁରାତନ ସିନେମାର ସମୀକ୍ଷକ ଓ ବିଶେଷଜ୍ଞ ସୂର୍ଯ୍ୟ ଦେଓ। ୨୦,୦୦୦ଟଙ୍କାର ନଗଦ ଅର୍ଥରାଶି ଓ ମାନପତ୍ର ସହିତ ‘ତପସ୍ୟା ସମ୍ଭାବନା ସମ୍ମାନ-୨୦୧୯’ ପାଇବେ ତରୁଣପିଢିର ସମ୍ଭାବନାମୟ ଲେଖକ ଡିଲେଶ୍ଵର ରଣା।
ଆଗାମୀ ଜାନୁଆରୀ ୧୨ରେ ହେବାକୁ ଥିବା ଦ୍ବିତୀୟ ଡକ୍ଟର ବି.ଏନ୍. ମିଶ୍ର ସ୍ମାରକୀ ବକ୍ତୃତାମାଳା ଅବସରରେ ଭୁବନେଶ୍ୱର ଠାରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଗଣମାଧ୍ୟମକୁ ସୂଚୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରମନ୍ ମାଗାସେସେ ପୁରସ୍କାର ବିଜେତା ବିଶିଷ୍ଟ ସାମାଜିକ କର୍ମୀ ତଥା ଲେଖକ ଆଂଶୁ ଗୁପ୍ତା, ଏନଡିଟିଭିର ବାର୍ତ୍ତା ସଂପାଦକ ତଥା ଲେଖକ ନିଧେଶ ତ୍ୟାଗୀ, ବିଶିଷ୍ଟ କବି, ଗୀତିକାର ଓ ଲେଖକ ଦେବଦାସ ଛୋଟରାୟ, ପ୍ରସିଦ୍ଧ ସିନେ-ଅଭିନେତା ଅଶ୍ରୁମୋଚନ ମହାନ୍ତି, କବି ପରମେଶ୍ଵର ମୁଣ୍ଡ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ଏହି ପୁରଷ୍କାର ଚୟନ ପ୍ରକ୍ରିୟା କୁ ସୁଚାରୁ ରୂପେ ସମ୍ପନ୍ନ କରିଥିଲେ ବିଶିଷ୍ଟ ଗାଳ୍ପିକା ଡକ୍ଟର ହିରଣ୍ମୟୀ ମିଶ୍ର, ବିଖ୍ୟତ କବି ଓ ଲେଖକ ଦିଲୀପ କୁମାର ମିଶ୍ର, ମନୋଜ ପୃଷ୍ଟି ଓ ପାର୍ଥ ପଟ୍ଟନାୟକ ପ୍ରମୁଖ।