ନୂଆଦିଲ୍ଲୀ,ଶ୍ରୀଲଙ୍କା ଓ ଭାରତରେ ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲମ (ଏଲଟିଟିଇ)କୁ ସକ୍ରିୟ ଓ ମଜବୁତ କରିବା ମାମଲାରେ 14ତମ ଅଭିଯୁକ୍ତ ବିରୁଦ୍ଧରେ ଚାର୍ଜସିଟ୍ ଦାୟର କରିଛି ଏନଆଇଏ । ଶନିବାର ଏନଆଇଏ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଏହି ଚାର୍ଜସିଟ ଏଲଟିଟିଇ ବିରୁଦ୍ଧରେ ଦାୟର କରାଯାଇଛି । ଏହି ମାମଲାରେ ଏବେ ସୁଦ୍ଧା 16ଜଣ ଅଭିଯୁକ୍ତ ଅଛନ୍ତି ।
ଏନଆଇଏ ମୁଖପାତ୍ର କହିଛନ୍ତି ଯେ, ନିଶା ଔଷଧ ଓ ଅସ୍ତ୍ରଶସ୍ତ୍ରର ଅବୈଧ କାରବାର ଜରିଆରେ ପ୍ରତିବନ୍ଧିତ ଆତଙ୍କବାଦୀ ସଙ୍ଗଠନକୁ ସକ୍ରିୟ ଓ ମଜବୁତ କରିବା ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ ଆଦିଲିଙ୍ଗମ ଅଭିଯୁକ୍ତ ଅଟେ । ଆଦିଲିଙ୍ଗମ ନିଶା ଔଷଧ ବିକ୍ରିରୁ ମିଳୁଥିବା ଧନ ସଂଗ୍ରହ ପାଇଁ ଜଣେ ଏଜେଣ୍ଟ ଭାବେ କାମ କରୁଥିଲା । ଯାହା ଏଲଟିଟିଇର ଗତିବିଧିକୁ ପ୍ରୋତ୍ସାହିତ କରିବା ପାଇଁ ହସ୍ତାନ୍ତରିତ କରାଯାଉଥିଲା ।