ମାଲକାନଗିରି- ବାଲିମେଳା ଜଳଭଣ୍ଡାରରେ ଗାଧୋଉଥିବା ବେଳେ ପାଣିରେ ବୁଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତର କେନ୍ଦୁଗୁଡା ଗାଁରେ ।
ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ କେନ୍ଦୁଗୁଡା ଗାଁ ନିକଟ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ ୪ ଜଣ ଶିଶୁ କନ୍ୟା । ଗାଧୋଇବା ସମୟରେ ଜଳଭଣ୍ଡାରର ଗଭୀର ଜଳରାଶିରେ ନିଖୋଜ ହୋଇଯାଇଥିଲେ ଦୁଇ ଶିଶୁ କନ୍ୟା । ନିଖୋଜ ହୋଇଥିବା ଶିଶୁ ହେଲେ ସନିୟା ମୁଦୁଲିଙ୍କ ଝିଅ ସାବିତ୍ରୀ ମୁଦୁଲି (୭), ଅନ୍ୟ ଜଣେ ହେଲେ ଧନୁ କାଡ଼ଙ୍ଗିଆଙ୍କ ଝିଅ ଦବିଲି କାଡ଼ଙ୍ଗିଆ (୬)। ସେମାନେ ନିଖୋଜ ହୋଇଯିବା ପରେ କେନ୍ଦୁଗୁଡା ଗ୍ରାମବାସୀ ମାନେ ଗତକାଲି ଅପରାହ୍ନରୁ ତଲାସୀ କରୁଥିଲେ । ଘଟଣାସ୍ଥଳରେ ଚିତ୍ରକୋଣ୍ଡା ଅଗ୍ନିଶମ, ଚିତ୍ରକୋଣ୍ଡା ପୋଲିସ ଓ କୁଡୁମୁଲୁଗୁମ୍ମା ତହସିଲଦାର ପହଞ୍ଚି ଗ୍ରାମବାସୀଙ୍କ ସହ ନିଖୋଜ ଦୁଇ ଶିଶୁକନ୍ୟାଙ୍କୁ ଖୋଜା ଖୋଜି କରିଥିଲେ । ଆଜି ସକାଳେ ଦୁଇ ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଛି। ଏହା ପରେ ତଦନ୍ତ ଆରମ୍ଭ କରିଛି ଓର୍କେଲ ଥାନା ପୁଲିସ। ଏହି ଦୁଃଖଦ ଘଟଣାକୁ ନେଇ ସମଗ୍ର କେନ୍ଦୁଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।