
ଭଦ୍ରକ,ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ସାମଲଙ୍କ ଘରେ ଚଢ଼ଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡ଼ି) । ଭଦ୍ରକର ୫ଟି ସ୍ଥାନରେ ଆଜି ଏକକାଳୀନ ଏହି ଚଢ଼ଉ କରାଯାଇଛି । ପ୍ରଫୁଲ୍ଲଙ୍କ ଭଦ୍ରକ ନୂଆବଜାର ଓ ଭଣ୍ଡାରିପୋଖରୀ ସ୍ଥିତ ବାସଭବନ, ନୂଆବଜାର ସ୍ଥିତ ସମ୍ପର୍କୀୟଙ୍କ ଘର, ବରପଦା ଇଞ୍ଜିନିୟରିଂ କଲେଜ ଏବଂ ସମ୍ପୃକ୍ତ କଲେଜର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ଵାମୀଙ୍କ ଅପର୍ତିବିନ୍ଧା ସ୍ଥିତ ଘରେ ଚଢ଼ଉ ହୋଇଛି । କେନ୍ଦ୍ରୀୟ ସୁରକ୍ଷା ବଳର ସୁରକ୍ଷାରେ ଏହି ଚଢ଼ଉ ଜାରି ରହିଛି ।
ତେବେ ନୂଆବଜାର ସ୍ଥିତ ଶ୍ରୀ ସାମଲଙ୍କ ବାସଭବନ ସମ୍ମୁଖରେ ସକାଳୁ ଏପର୍ଯ୍ୟନ୍ତ ବହୁ ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ବାସଭବନର ଭିତରପଟୁ ଚାବି ପକାଯାଇ ଚଢ଼ଉ ଜାରି ରହିଥିବାରୁ ଗଣମାଧ୍ୟମ ପ୍ରତିନିଧି ମାନେ ସବିଶେଷ ତଥ୍ୟ ପାଇପାରିନାହାଁନ୍ତି।
ଏଠାରେ ସୂଚନାଯୋଗ୍ୟ, ଶ୍ରୀ ସାମଲଙ୍କ ବିରୋଧରେ ପୂର୍ବରୁ ବରପଦା ଇଞ୍ଜିନିୟରିଂ କଲେଜରେ କୋଟି କୋଟି ଟଙ୍କାର ଦୁର୍ନୀତି ନେଇ ଅଭିଯୋଗ ରହିବା ସହ କଲେଜର ବିଭାଜିତ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଉପୁଜି ବୋମା ମାଡ ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଦୀର୍ଘ ଦିନ ହେଲା କଲେଜର କର୍ମଚାରୀମାନେ ଦରମା ନପାଇ କଲେଜ ମୁଖ୍ୟଫାଟକ ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହୋଇଥିଲେ ।