ଭୁବନେଶ୍ୱର, ଆମ ପାଖରେ ପ୍ରସ୍ତାବକ ଅଛନ୍ତି, ଆମେ ପ୍ରାର୍ଥୀ ଦେଲୁ । କାହାକୁ ଆମେ ସମର୍ଥନ ମାଗି ନାହୁଁ ।ବିଜେପି ରାଜ୍ୟସଭା ଲଢ଼ିବ ଏବଂ ଜିତିବ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱକୁ ବିଜେଡିର ସମର୍ଥନ ପରେ ସାମ୍ବାଦିକ ମାନଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ।
ସେ କହିଛନ୍ତି, କୌଣସି ମେଂଟ ହେବ ନାହିଁ । ବିଜେପି ଏକାକୀ ଲଢ଼ିବ । ସମର୍ଥନ କିଏ ଦବ ନ ଦବ, ମେଂଟ କଥା ସେଥିରେ କେଉଁଠୁ ଆସିଲା ? ସମର୍ଥନ ଆମେ ମାଗିନୁ, କିଏ ସମର୍ଥନ ଦେବ ଆମେ କଣ ମନା କରିବୁ । ସେମାନଙ୍କୁ ପଚାରନ୍ତୁ, ସେମାନେ କାହିଁକି ସମର୍ଥନ ଦେଲେ । ଆମେ ତ ସମର୍ଥନ ମାଗି ନାହୁଁ । କାହାରି ସମର୍ଥନ ଆମେ ଲୋଡ଼ିନୁ ବିଜେପି ଏକାକୀ ଲଢ଼ିବ । ଯଦି କାହାର ଲଢ଼ିବାର ଅଛି, ଆସନ୍ତାକାଲି ନୋମିନେସନ ଅଛି କର ଏବଂ ଲଢ଼ ।
ସେ କହିଛନ୍ତି ଯେ, ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱକୁ ବିଜେଡିର ସମର୍ଥନ ପରେ ନିର୍ବାଚନରେ କୌଣସି ପ୍ରଭାବ ପଡ଼ିବ ନାହିଁ । କର୍ମୀ ମୈଦାନକୁ ଓଲ୍ହାଇ ପଡିଲେଣି । ଲୋକେ ଚାହୁଁଛନ୍ତି ବିଜେପି ସରକାର କରିବ ।
କଂଗ୍ରେସ ଦଳର ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି କଂଗ୍ରେସ ସାର୍ଟିଫିକେଟରେ ଆମେ ବଂଚି ନାହୁଁ । କଂଗ୍ରେସ ର କୁ ଶାସନ ଏବଂ ଦୁର୍ନୀତିକୁ ବିରୋଧ କରି ୭୫ ବର୍ଷ ଧରି ବଂଚି ଆସିଛୁ । ଆମେ କଂଗ୍ରେସ ସହିତ କମ୍ପରମାଇଜ କରିନାହୁଁ । ଜନସଙ୍ଘ ଯିଏ କଂଗ୍ରେସ ସହିତ ବୁଝାମଣା କରିନାହୁଁ ।