ଭୁବନେଶ୍ୱର– ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଣେ ଜଣେ ପରେ ଟାଣୁଆ ନେତା କଂଗ୍ରେସ ଛାଡୁଛନ୍ତି । ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୂର୍ବତନ ଅନୁଗୋଳ ଜିଲ୍ଲା ସଭାପତି ନିହାର ମହାନନ୍ଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦଳ ଉପରେ ଅସନ୍ତୋଷ ଝାଡ଼ି ଉଭୟ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦୁଇ ନେତାଙ୍କ ଇସ୍ତଫା ନେଇ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ସେମାନେ ବିଜେପି ଓ ବିଜେଡି ଲିଙ୍କ୍ ରେ ଅଛନ୍ତି । ଆଗକୁ ଆହୁରି ନେତା ଛାଡ଼ିବେ । ସେମାନେ ଗଲେ ମଧ୍ୟ କଂଗ୍ରେସର କିଛି କ୍ଷତି ହେବନି । ସେମାନେ ଛାଡ଼ିଲେ ନୂଆ ମୁହଁକୁ ଆମେ ସୁଯୋଗ ଦେବୁ । ଆମ ପାଖକୁ ବିଜେଡି ଓ ବିଜେପିରୁ ମଧ୍ୟ ନେତା ଆସୁଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି ।
ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ଟାଣୁଆ କଂଗ୍ରେସ ନେତା ହେଉଛନ୍ତି ଅଂଶୁମାନ ମହାନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ସେ ରାଜନଗର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ବିଧାନସଭାରେ ପହଂଚିଥିଲେ । ୨୦୧୯ ନିର୍ବାଚନରେ ବିଜେଡିର ଧୃବ ସାହୁଙ୍କଠାରୁ ସେ ହାରି ଯାଇଥିଲେ । ସେହିପରି ନିହାର ମହାନନ୍ଦ ହେଉଛନ୍ତି ଅନୁଗୋଳ ଜିଲ୍ଲାରେ ଜଣେ ଟାଣୁଆ କଂଗ୍ରେସ ନେତା । ପୂର୍ବରୁ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ହୋଇଥିଲେ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି ।