ମାଲକାନଗିରି, ପୁରୁଣା ଇଂରାଜୀ ବର୍ଷକୁ ବିଦାୟ ଓ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ କିଏ ହୋଟେଲ ଯାଇ ହଜାର ହଜାର ଟଙ୍କା ବ୍ୟୟ କରୁଛି ତ ଆଉ କିଏ ପିକନିକ୍ ସ୍ଥଳକୁ ଯାଇ ଭୋଜି କରୁଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଅଶୋକ କୁମାର ମହାରଣା କିନ୍ତୁ ନିଆରା ଢଙ୍ଗରେ ପୁରୁଣା ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ବାଗତ କରିଛନ୍ତି। ବୃଦ୍ଧ ଓ ବୃଦ୍ଧା ମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଭିନ୍ନ ଏକ ପ୍ରୟାସ କରିଛନ୍ତି । ଶ୍ରୀ ମହାରଣା ମାଥିଲି ମିନି ଷ୍ଟାଡିଅମ ଠାରେ ମାଥିଲି ପଞ୍ଚାୟତର ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ନେଇ ମ୍ୟୁଜିକ୍ ଚେଆର୍ ଖେଳଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରତିଯୋଗିତା କରିଥିଲେ। ଆଦିବାସୀଙ୍କ ପାରମ୍ପରିକ ଗୀତ, ଢ଼େମସା ନାଚରେ ଝୁମିଥିଲେ ବୃଦ୍ଧ, ବୃଦ୍ଧା, ନେତା ଓ ନେତ୍ରୀ ମାନେ । ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ମାଥିଲି ବ୍ଲକ୍ ଅଧ୍ୟକ୍ଷ ମହେଶ କୁମାର ବାକା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମାଥିଲି ସଦର ସରପଞ୍ଚ କାନାମ ରାଜୁ ନାୟକ, ମାଥିଲି ପଞ୍ଚାୟତସମିତି ସଭ୍ୟ ବାଲରାଜୁ କୋପେ, ବରିଷ୍ଠ ଶିକ୍ଷାବିତ୍ ଶିବପ୍ରସାଦ ପରିଛା, ବରିଷ୍ଠ ନାଗରିକ ଅବଦୁଲ ଗଫାର, ଡ୍ରାଇଭର ମହାସଂଘର ବ୍ଲକ ସଭାପତି କେ.ଶିବାରାଓ, ପଡ଼ୋଶୀ ଖଇରପୁଟ ବ୍ଲକ୍ ମାଡକାପଦର ସମିତିସଭ୍ୟ ଅକ୍ଷୟ ରଞ୍ଜନ ପାଙ୍ଗି ଯୋଗ ଦେଇଥିଲେ । ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯିବା ସହ ସମସ୍ତ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ କମ୍ବଳ ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଏମ.ଡି. ଆକବର ମଞ୍ଚ ପରିଚାଳନା କରିଥିଲେ । ବୃଦ୍ଧ ଓ ବୃଦ୍ଧା ମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଏପରି ପ୍ରତିଯୋଗିତା ଆୟୋଜନ କରିଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ମହାରଣାଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।