ଭୁବନେଶ୍ୱର,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କନିକା ପ୍ରଜାମଣ୍ଡଳ ଆନ୍ଦୋଳନ ନେତା ବିପ୍ଳବୀ ଚକ୍ରଧର ବେହେରାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ରାଜଭବନ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି ।
ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବନ୍ଦନା ଗାନ କଲାପରେ ଶିକ୍ଷାବିତ କାମଦେବ ମହାପାତ୍ର କବିତା ଆବୃତି କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ତମ୍ଭକାର, ସୁଲେଖକ ଡକ୍ଟର ଗୌରହରି ଦାସ, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ଆବାହକ ରବି ନାରାୟଣ ନନ୍ଦ, ସଂଯୋଜକ ପ୍ରବୀର ମହାନ୍ତି, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଡକ୍ଟର ରଙ୍ଗାଧର ସାହୁ, ଗୋପବନ୍ଧୁ ପ୍ରେମୀ ସଂଜୟ କୁମାର ପରିଡ଼ା, ସାମାଜିକ କର୍ମୀ ସନାତନ ବେହେରା, ଲକ୍ଷ୍ମୀଧର ମହାଭୋଇ, ସର୍ବଭାରତୀୟ ଯାଦବ ମହାସଭାର ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ଶିକ୍ଷାବିତ ଡକ୍ଟର ନଗେନ୍ଦ୍ରନାଥ ମିଶ୍ର, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ୍ ସାହୁ, ହାଡ଼ିବନ୍ଧୁ ବେଉରିଆ, ପୂର୍ବତନ କର୍ପୋରେଟର ସଂଯୁକ୍ତା ମହାନ୍ତି, ସ୍ୱର୍ଗତ ବେହେରାଙ୍କ ଆତ୍ମୀୟ ସ୍ୱଜନ ବୀରେନ୍ଦ୍ର କୁମାର ମହାନ୍ତ, ସୁଲୋଚନା ମାହୁନ୍ତ, ପ୍ରତାପ ନାୟକ, ସୁରେନ୍ଦ୍ର କୁମାର ମାହୁନ୍ତ, ସ୍ୱପ୍ନଶ୍ରୀ ମାହୁନ୍ତ, ଦୀଲିପ କୁମାର ଦାସ, ମଞ୍ଜୁଶ୍ରୀ ଦାସ, ସବିତା ମହାପାତ୍ର, ବିଭାଗର ଉପଶାସନ ସଚିବ ମାଥିଆସ୍ ତିର୍କୀ, ଜୟ ଓଡ଼ିଶା ସଭ୍ୟବୃନ୍ଦ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ଦେଶ ସ୍ୱାଧୀନତା ପୂର୍ବରୁ ବ୍ରିଟିଶ୍ ସରକାରଙ୍କ ଅଧିନରେ ଥିବା ରାଜା ଓ ଜମିଦାରମାନେ ପ୍ରଜାଙ୍କଠାରୁ କର ଆଦାୟ କରି ବ୍ରିଟିଶ୍ ତରଫରୁ ଶାସନ କାର୍ୟ୍ୟ ସମ୍ପାଦନ କରୁଥିଲେ । ବହୁ ରାଜା ଓ ଜମିଦାରମାନେ ପ୍ରଜା ଶୋଷଣ କରିବା ସହ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ତନ୍ମଧ୍ୟରୁ କନିକା ଥିଲା ଅନ୍ୟତମ । କନିକାର ପ୍ରଜା ଶୋଷଣ ଘଟଣା ସମଗ୍ର ଭାରତ ବର୍ଷରେ ଚହଳ ପକାଇଥିଲା । ଏହି ଘଟଣାରେ ଜାତୀର ପିତା ମହାତ୍ମା ଗାନ୍ଧୀ ପ୍ରଜାଙ୍କୁ ଅତ୍ୟାଚାରରୁ ମୁକ୍ତି ଦେବାପାଇଁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ କନିକା ପଠାଇଥିଲେ ଏବଂ ଗୋପବନ୍ଧୁ ମଧ୍ୟ ଭାଗୀରଥି ମହାପାତ୍ରଙ୍କ ସହିତ ଗିରଫ ହେବା ସଂଗେସଂଗେ ଦୁଇଜଣଙ୍କୁ ହାତକଡି ପକାଯାଇଥିଲା । ଏହି ପରିବେଶରେ ପ୍ରଜାମାନଙ୍କୁ ଶୋଷଣମୁକ୍ତ କରିବାକୁ ଚକ୍ରଧର ବେହେରା, ରାଜକର୍ମଚାରୀ ପଦବୀ ତ୍ୟାଗ କରି ରାଜାଙ୍କ ବିରୁଦ୍ଧରେ ଏକ ଦୁର୍ବାର ପ୍ରଜା ଆନ୍ଦୋଳନ ଗଢ଼ିତୋଳିଥିଲେ । ବହୁବାର କାରାବରଣ କରିବା ସହ ରାଜ କର୍ମଚାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ପ୍ରଜାମାନଙ୍କ କଲ୍ୟାଣ ପାଇଁ ସେ ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ । ଦେଶ ସ୍ୱାଧୀନତା ପୂର୍ବରୁ ଓ ପରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଲୋକପ୍ରିୟତାର ପ୍ରମାଣ ଦେଇଥିଲେ । ପରବର୍ତୀ ଅବସ୍ଥାରେ ରାଜନୈତିକ ଆକ୍ରୋଶରୁ ତାଙ୍କୁ ପ୍ରତିନିଧିତ୍ୱରୁ ବଂଚିତ କରାଯାଇଥିଲା । ଦେଶ ଓ ଜାତି ପାଇଁ ତାଙ୍କର ତ୍ୟାଗ ଅତୁଳନୀୟ ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ସାମାଜିକ କର୍ମୀ ସନାତନ ବେହେରାଙ୍କୁ ବିପ୍ଳବୀ ଚକ୍ରଧର ବେହେରା ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବା ସହ ଉପସ୍ଥିତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ପରିଶେଷରେ ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।