ନୂଆଦିଲ୍ଲୀ, ମାସିକ ରେଡିଓ କାର୍ଯ୍ୟକ୍ରମରେ ସାବିତ୍ରୀବାଈ ଫୁଲେ ଏବଂ ରାଣୀ ୱେଲୁ ନାଚିୟାରଙ୍କ କଥା ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ଭାରତଭୂମିକୁ ପ୍ରତି କାଳଖଣ୍ଡରେ ଆମର ସୁଲକ୍ଷଣଯୁକ୍ତ କନ୍ୟାମାନେ ଗୌରବମଣ୍ଡିତ କରିଛନ୍ତି । ସାବିତ୍ରୀବାଈ ଫୁଲେ ଏବଂ ରାଣୀ ୱେଲୁ ନାଚିୟାର ହେଉଛନ୍ତି ଆମର ଏହିଭଳି ଦୁଇ ଅନୁପମ ବ୍ୟକ୍ତିତ୍ୱ । ତାଙ୍କର ବ୍ୟକ୍ତିତ୍ୱ ଏଭଳି ଦୁଇ ଦୁଇଟି ଆଲୋକଶିଖା ଯାହା ପ୍ରତ୍ୟେକ ଯୁଗରେ ନାରୀଶକ୍ତିକୁ ଆଗକୁ ବଢ଼ିବାର ମାର୍ଗଦର୍ଶନ ଦେବ । ଆଜିଠାରୁ ମାତ୍ର କିଛିଦିନ ପରେ ଜାନୁୟାରୀ ୩ ତାରିଖ ଦିନ ଆମେମାନେ ଏହି ଦୁଇଜଣଙ୍କର ଜନ୍ମଜୟନ୍ତୀ ପାଳନ କରିବା । ସାବିତ୍ରୀବାଈ ଫୁଲେଙ୍କ ନାମ ଆସିବାମାତ୍ରେ ସର୍ବପ୍ରଥମେ ଶିକ୍ଷା ଓ ସମାଜ ସଂସ୍କାର କ୍ଷେତ୍ରକୁ ତାଙ୍କର ଅବଦାନ ବିଷୟ ଆମ ମନକୁ ଆସେ । ମହିଳା ଓ ବଞ୍ଚିତମାନଙ୍କର ଶିକ୍ଷା ପାଇଁ ସେ ସଦାସର୍ବଦା ସ୍ୱର ଉତ୍ତୋଳନ କରିଛନ୍ତି । ସେ ତାଙ୍କ ସମୟରେ ବହୁତ ଆଗରେ ଥିଲେ ଏବଂ କୁପ୍ରଥାଗୁଡ଼ିକ ବିରୁଦ୍ଧରେ ସର୍ବଦା ସ୍ୱରୋତ୍ତଳନ କରୁଥିଲେ । ଶିକ୍ଷା ଦ୍ୱାରା ସମାଜର ସଶକ୍ତିକରଣ ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା । ମହାତ୍ମା ଫୁଲେଜୀଙ୍କ ସାଥିରେ ମିଶି ସେ ଝିଅମାନଙ୍କ ପାଇଁ ଅନେକ ସ୍କୁଲ ଗଢ଼ିତୋଳିଥିଲେ । ସେ ସଦାବେଳେ ଲୋକମାନଙ୍କୁ ଆବଶ୍ୟକ ସମୟରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ତଥା ପ୍ରକୃତି ସହିତ ମଧ୍ୟ ସହାବସ୍ଥାନ କରିବାର ପ୍ରେରଣା ଦେଉଥିଲେ । ସେ କେତେ ଦୟାଳୁ ଥିଲେ ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବନି । ଯେତେବେଳେ ମହାରାଷ୍ଟ୍ରରେ ଦୁର୍ଭିକ୍ଷ ପଡ଼ିଲା ସେତେବେଳେ ସାବିତ୍ରୀବାଈ ଓ ମହାତ୍ମା ଫୁଲେ ପୀଡ଼ିତମାନଙ୍କ ସାହାଯ୍ୟ ପାଇଁ ନିଜ ଘରର ଦରଜା ଖୋଲିଦେଇଥିଲେ । ସାମାଜିକ ନ୍ୟାୟ କ୍ଷେତ୍ରରେ ଏଭଳି ଉଦାହରଣ ଖୁବ୍ ବିରଳ । ଯେତେବେଳେ ସେଠାରେ ପ୍ଲେଗ୍ ରୋଗର ଭୟ ବ୍ୟାପିଥିଲା, ସେତେବେଳେ ସେ ନିର୍ଭୟରେ ରୋଗୀସେବା ପାଇଁ ଆଗେଇ ଆସିଥିଲେ । ସେହି ସମୟରେ ସେ ନିଜେ ରୋଗର କବଳରେ ପଡ଼ିଯାଇଥିଲେ । ମାନବତା ପ୍ରତି ସମର୍ପିତ ତାଙ୍କର ଜୀବନ ଆଜି ବି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିଛନ୍ତି ।
ବିଦେଶୀ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିବା ଦେଶର ଅନେକ ମହାନ ବ୍ୟକ୍ତିମାନଙ୍କ ମଧ୍ୟରେ ରାଣୀ ବେଲୁ ନାଚିୟାର ମଧ୍ୟ ଅନ୍ୟତମ ଥିଲେ । ତାମିଲନାଡ଼ୁର ମୋର ଭାଇ ଭଉଣୀମାନେ ତାଙ୍କୁ ଆଜି ମଧ୍ୟ ବୀରା ମଂଗଇ ଅର୍ଥାତ୍ ବୀର ନାରୀ ଭାବରେ ସ୍ମରଣ କରନ୍ତି । ଇଂରେଜମାନଙ୍କ ବିରୁଦ୍ଧରେ ରାଣୀ ବେଲୁ ନାଚିୟାର ଯେଉଁ ପରାକ୍ରମ ଦେଖାଇଥିଲେ ତାହା ବହୁତ ପ୍ରେରଣାଦାୟୀ । ଇଂରେଜମାନେ ଶିବଗଙ୍ଗା ସାମ୍ରାଜ୍ୟର ଆକ୍ରମଣ ସମୟରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ ଯିଏକି ସେଠାକାର ରାଜା ଥିଲେ । ରାଣୀ ବେଲୁ ନାଚିୟାର ଏବଂ ତାଙ୍କ ଝିଅ କୌଣସିପ୍ରକାରେ ସେମାନଙ୍କ କବଳରୁ ଖସିଆସିଥିଲେ । ନିଜର ସଂଗଠନ ଗଢ଼ିବା ଏବଂ ମରୁଦୁ ବ୍ରଦର୍ସ ଅର୍ଥାତ୍ ନିଜର କମାଣ୍ଡରମାନଙ୍କୁ ଏକତ୍ର କରି ସୈନ୍ୟବାହିନୀ ଗଢ଼ିବାରେ କେତେବର୍ଷ ଲାଗିରହିଲେ । ତା’ପରେ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ଏବଂ ଦୃଢ଼ସଂକଳ୍ପ, ଶକ୍ତି ଓ ସାହସର ସହିତ ସଂଗ୍ରାମ କଲେ । ମୁଁ ଏହି ଦୁଇ ବୀରାଙ୍ଗନାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ।