-
ପ୍ରଚାର ବେଳେ ପାଂଚ ଥର ଆସି ଶହଶହ ମିଛ ପ୍ରତିଶ୍ରୁତି ଦେଇଥିଲେ , ଜିତିଲାପରେ ଭୁଲିଗଲେ
ଭୁବନେଶ୍ୱର– ଭଦ୍ରକ ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫-ଟିଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ।ବୁଧବାର ଧାମନଗର ନିର୍ବାଚନ ମଣ୍ଡଳୀରେ ଜନତାଙ୍କୁ ଉଦବୋଧନ ଦେଲା ବେଳେ ଧର୍ମେନ୍ଦ୍ରଙ୍କ ନାଁ ନଧରି କଟାକ୍ଷ କରିଛନ୍ତି । ଶ୍ରୀ ପାଣ୍ଡିଆନ କହିଛନ୍ତି, ୧୧ମାସ ତଳେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ଯିଏ ମଙ୍ଗ ଧରିଥିଲେ ସେ ପ୍ରଚାର ସମୟରେ ପାଂଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ । ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲା । କିନ୍ତୁ ତା’ପରଠୁ ଏହି ନେତାଙ୍କ ଦେଖା ଦର୍ଶନ ନାହିଁ । ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି ।
ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ ଏକସାଧାରଣ ସଭାରେ ୫-ଟିଅଧ୍ୟକ୍ଷ କହିଛନ୍ତି । ନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ ସେ ଧାମନଗରର ରୂପରେଖ ବଦଳାଇଦେବେ । ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି? ଏଥିରୁ ଭୋଟ ରାଜନୀତି କରୁଥିବା ଏହି ନେତାଙ୍କ ପ୍ରକୃତ ଚେହେରା ସ୍ପଷ୍ଟ ହୋଇଯାଇଛି । ଗତ ୧୦ ମାସ ଭିତରେ ସେ ଦିଲ୍ଲୀରୁ ଓଡ଼ିଶାକୁ ୧୦୦ଥର ଆସିଥିବେ । କିନ୍ତୁ ଧାମନଗରକୁ ଥରୁଟିଏ ବି ମନେ ପକାଇଲେ ନାହିଁ କେମିତି? ଏହି ନେତାମାନଙ୍କ ଚରିତ୍ର ହେଲା ଭୋଟ ସରିଲା ପରେ ଭୁଲିଯିବା । ବର୍ଷେ ଭିତରେ ଧାମନଗରବାସୀ ତାଙ୍କ ଉପରୁ ବିଶ୍ୱାସ ହରାଇଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ମନୋବୃତି ନେଇ ରାଜନୀତି କରନ୍ତି । ସାଢ଼େ ୪କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାର । ଗରିବ ମୁହଁରେ ହସ ଫୁଟାଇବା ହେଉଛି ତାଙ୍କ ଲକ୍ଷ୍ୟ ।
ସେ କହିଥିଲେ ଯେ ଗତ ଜୁନ ୧୨ତାରିଖରେ ଧାମନଗର ଆସି ଲୋକଙ୍କଠାରୁ ଅଭିଯୋଗ, ପ୍ରସ୍ତାବ ଗ୍ରହଣ କରିଥିଲେ । ଧାମନଗରବାସୀଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ କାମ କରିବା ଲାଗି ପ୍ରେରଣା ଦେଇଛି । ଜୁନ ମାସଠୁ ଇତି ମଧ୍ୟରେ ୧୦୦କୋଟି ଟଙ୍କା ଧାମନଗର ପାଇଁ ମଂଜୁର ହୋଇଛି । ଖୁବଶୀଘ୍ର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାତ୍ର ୫ଟଙ୍କାରେ ଏଥିରେ ଯାତ୍ରା କରିପାରିବେ ।
ପରେ ଭଦ୍ରକ ନେହରୁ ଷ୍ଟାଡିୟମର ଆୟୋଜିତ ସଭାରେ ପାଣ୍ଡିଆନ କହିଲେ ଯେ ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ । ବିଭିନ୍ନ ମଠ, ମନ୍ଦିର,ମସଜିଦ୍ ଓ ଚର୍ଚ୍ଚର ଉନ୍ନତିକରଣ ଓ ରୂପାନ୍ତରୀକରଣ ଚାଲିଛି, ତାହା ଦେଖି ବିରୋଧୀମାନଙ୍କ ନିଦ ଭାଙ୍ଗିଯାଇଛି । ଅପପ୍ରଚାର ସେମାନଙ୍କର ଏକମାତ୍ର ଅସ୍ତ୍ର । ମୁଖ୍ୟମନ୍ତ୍ରୀ ଭଲ କାମ କଲେ ସେମାନଙ୍କର ଅସୁବିଧା ହୋଇଯିବ, ସେଥିପାଇଁ ସେମାନେ ରୂପାନ୍ତରଣ ରୋକିବାକୁ ଦିନରାତି ଚେଷ୍ଟା କରୁଛନ୍ତି । ସେମାନଙ୍କର ବିକାଶ ଉପରେ ବିଲକୁଲ୍ ବିଶ୍ୱାସ ନାହିଁ । ସେ ଆହୁରି କହିଥିଲେ ଆମ ବ୍ୟାଙ୍କ ଯୋଜନାରେ ଦୁଇ ମାସ ଭିତରେ ପ୍ରତି ପଂଚାୟତରେ ବ୍ୟାଙ୍କ ଖୋଲିବ ଏବଂ ସେହିପରି ଫେବ୍ରୁଆରୀ ଶେଷ ସୁଦ୍ଧା ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେବ ।
ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ୫-ଟିତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଥମେ ଆରଡିଠାରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଆଖଣ୍ଡଳମଣି ମନ୍ଦିରକୁ ୫୦କୋଟି ଟଙ୍କା ଅନୁଦାନ ମୁଖ୍ୟମନ୍ତ୍ରୀ ମଂଜୁର କରିଥିବା ସୂଚନା ଦେଇଥିଲେ । ଆରଡିଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଚାନ୍ଦବାଲି ନିର୍ବାଚନମଣ୍ଡଳିର ବିକାଶ ପାଇଁ ମଂଜୁର ହୋଇଥିବା ଅର୍ଥରାଶି ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଦାନକଣିଆ ଘାଟରୁ ଆରଡିକୁ ଯୋଗାଯୋଗ ପାଇଁ ସେତୁ ନିର୍ମାଣ ପାଇଁ ୮୦କୋଟି ମଂଜୁର ହୋଇଛି । ସେହିପରି ପାଞ୍ଚଟିକିରି ଘାଟରୁ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୫୦କୋଟି ମଂଜୁର ହୋଇଛି । ଚାନ୍ଦବାଲି ସହରରେ ପାଇପ ଯୋଗେ ଜଳ ଯୋଗାଣ ଲାଗି ୫୦କୋଟି ଟଙ୍କା ମଂଜୁର ହୋଇଛି । ସେହିପରି ମତ୍ସ୍ୟଜୀବୀଙ୍କ କଲ୍ୟାଣ ନିମନ୍ତେ ୨୭କୋଟି, ଧାମରାଇ ମନ୍ଦିର ଉନ୍ନତି ପାଇଁ ୧କୋଟି, ପାଟଣମଙ୍ଗଳା ମନ୍ଦିର ଉନ୍ନତି ପାଇଁ ୧କୋଟି ଟଙ୍କା ମଂଜୁର ହୋଇଛି । ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଥିବା ସବୁ କଲେଜର ରୂପାନ୍ତରଣ ପାଇଁ ୬କୋଟି ଟଙ୍କା ମଂଜୁର ହୋଇଛି । ମନ୍ଦିର, ମସଜିଦ ଓ କମ୍ୟୁନିଟି ସେଣ୍ଟର ପାଇଁ ୪କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଛି । ଗତ ୫ମାସ ମଧ୍ୟରେ ଭଦ୍ରକ ଜିଲ୍ଲାକୁ ୩୦୦କୋଟି ଟଙ୍କା ମଂଜୁର ହୋଇଥିବା ୫-ଟିଅଧ୍ୟକ୍ଷ ଏହି ଅବସରରେ ସୂଚନାଦେଇଥିଲେ ।