
ଭୁବନେଶ୍ୱର – ମୋ ସରକାର କାର୍ଯ୍ୟକ୍ରମରେ ଜନସାଧାରଣ ତଥା ହିତାଧିକାରୀମାନଙ୍କ ଠାରୁ ମିଳୁଥିବା ମତାମତ ଅନୁଯାୟୀ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଅଧିକ ସକ୍ରିୟ ଓ ଲୋକାଭିମୁଖୀ କରାଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ସାଧାରଣ ବଂଟନ ବ୍ୟବସ୍ଥାରେ ସାମଗ୍ରୀଗୁଡ଼ିକ ଯେପରି ନିୟମିତ ପାଇପାରିବେ ତାହାକୁ ନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ବ୍ୟାପକ ପରିବର୍ତନ ପାଇଁ ୫-ଟି କାର୍ଯ୍ୟକ୍ରମ ଅଧିନରେ ମୋ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ । ମୋ ସରକାର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ଡିସେମ୍ବର ମାସ ସୁଦ୍ଧା ୫୨୬ ଜଣ ହିତାଧିକାରୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା । ସେମାନଙ୍କୁ ଫୋନଯୋଗେ ରାସନ କାର୍ଡ଼ ପାଇଛନ୍ତି କି, ପ୍ରତ୍ୟେକ ମାସରେ ରାସନ ସାମଗ୍ରୀ ପାଉଛନ୍ତି କି, ଡିଲର ସେମାନଙ୍କ ଠାରୁ ରାସନ୍ ପାଇଁ ଅଧିକ ଅର୍ଥ ନେଉଛନ୍ତି କି ଏବଂ ସେମାନଙ୍କ ପ୍ରତି ଡିଲରଙ୍କ ବ୍ୟବହାର କିପରି ଅଛି ଆଦି ବିଷୟରେ ପ୍ରଶ୍ନ କରାଯାଇଥିଲା । ଫୋନ ଯୋଗେ ହିତାଧିକାରୀମାନେ ଦେଇଥିବା ଉତରଗୁଡ଼ିକ ସନ୍ତୋଷଜନକ ଥିଲାବେଳେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଜନସାଧାରଣଙ୍କ କସେବା ପାଇଁ ଉଦ୍ଦିଷ୍ଟ ଏବଂ ଲୋକମାନେ ଏହାର ପ୍ରକୃତ ମାଲିକ । ତେଣୁ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଅଧିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।