ଭୁବନେଶ୍ୱର– ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଓଡ଼ିଶାକୁ ବଦନାମ କରିବାର ଅଭ୍ୟାସ ଓଡ଼ିଶା ବିଜେପିର ରହିଛି । ତେଣୁ ଏହା ଜାଣିଶୁଣି ଓଡ଼ିଶାର ଶିଳ୍ପ ବିକାଶକୁ ନେଇ ମିଥ୍ୟା ଓ ମନଗଢ଼ା ପ୍ରଚାର ଚଳାଇଛି । ତେଣୁ ଓଡିଶା ବିଜେପି ଓଡ଼ିଶାବାସୀଙ୍କୁ ଯେଭଳି ବିଭ୍ରାନ୍ତ କରୁଛି ତାହାକୁ ରୋକିବା ପାଇଁ ଓଡ଼ିଶାବାସୀଙ୍କୁ ସତ ଜାଣିବା ନିହାତି ଜରୁରୀ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ଓ ସୋଫିଆ ଆଲାମ ।
ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ମୁଖପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଗତ ୨୩ ବର୍ଷ ମଧ୍ୟରେ ଶିଳ୍ପାୟନ ଓ ରୋଜଗାର ଯୋଗାଇବା ପଥରେ ଦ୍ରୁତ ଗତିରେ ଅଗ୍ରସର ହୋଇଛି । ୨୦୨୧-୨୨ ବର୍ଷ ପାଇଁ ସର୍ବାଧିକ ରାଜସ୍ୱ ବଳକା ରାଜ୍ୟ ଭାବେ ଓଡିଶା ଭାରତର ଏକ ନମ୍ବର ରାଜ୍ୟ ଭାବେ ପରିଗଣିତ ହୋଇଛି । ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧି ରାଜ୍ୟ ତାଲିକାର ଶୀର୍ଷରେ ରହିଛି ଏବଂ କ୍ରମାଗତ ଭାବେ ୧୧.୫% ଅଭିବୃଦ୍ଧି ହାର ସହ ଜାତୀୟ ହାର ଠାରୁ ଅଧିକ ଅଛି ।
ସିଏମ୍ଆଇଇ କ୍ୟାପେକ୍ସ ଡାଟାବେସ୍ ଏବଂ ସିଆଇଆଇ ଗବେଷଣା ଅନୁଯାୟୀ, ୨୦୨୩-୨୪ ବର୍ଷରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଭାରତର ଦ୍ୱିତୀୟ ସ୍ଥାନରେ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ସହାୟତାରେ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିବା କ୍ଷେତ୍ରରେ ଓଡ଼ିଶା ଭାରତର ତୃତୀୟ ଶୀର୍ଷ ରାଜ୍ୟ ଭାବେ ଉଭା ହୋଇଛି । ଏହା ଆର୍ଥିକ କ୍ଷେତ୍ରରେ ରାଜ୍ୟର ବଢୁଥିବା ବିଶ୍ୱସନୀୟତା ଏବଂ ଆକର୍ଷଣର ପ୍ରମାଣ । ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଥିବା ବେଳେ ଇସ୍ପାତ ଉତ୍ପାଦନ ୧୫ ଗୁଣ ବୃଦ୍ଧି ପାଇଛି ଏବଂ ଆଲୁମିନା ଓ ଆଲୁମିନିୟମ ଉତ୍ପାଦନ ୭.୮ ଗୁଣ ବୃଦ୍ଧି ପାଇଛି । ଏହି ବିପୁଳ ଅଭିବୃଦ୍ଧି ଭାରତର ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି ।
ଭାରତରେ ଇସ୍ପାତ ଉତ୍ପାଦନରେ ଓଡ଼ିଶା ଝାଡ଼ଖଣ୍ଡକୁ ୧.୩୬ ଗୁଣ ପଛରେ ପକାଇ ଆଗରେ ଥିବାବେଳେ ଛତିଶଗଡ଼ ପଛକୁ ରହିଛି । ଏହି ଚମତ୍କାର ସଫଳତା ଓଡ଼ିଶାକୁ ଦେଶର ଇସ୍ପାତ ଶିଳ୍ପରେ ଏକ ପ୍ରମୁଖ ଖେଳାଳି ଭାବେ ସ୍ଥାନିତ କରିଛି । ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶର ସବୁଠାରୁ ଆଗରେ ରହିଛି । ବିଜେଡି ସରକାର ୨୦୨୧-୨୨ ସୁଦ୍ଧା ପ୍ରାୟ ୧୧ ହଜାର ଏକର ପରିମିତ ଅଂଚଳ ଓ ୧୫୦୦ରୁ ଅଧିକ ନିର୍ମିତ ସେଡ୍ ସହ ରେକର୍ଡ ୧୨୦ଟି ଶିଳ୍ପାଂଚଳ(ଆଇଇ)/ଏରିଆ/ପାର୍କ, ଥିମ୍ ପାର୍କ ଇତ୍ୟାଦି ପ୍ରତିଷ୍ଠା କରିଛନ୍ତି ।
ବିଗତ ୨୩ ବର୍ଷରେ ଓଡ଼ିଶାର ଇସ୍ପାତ ଉତ୍ପାଦନ ୧୫ ଗୁଣା ବୃଦ୍ଧି ପାଇଛି । ବାର୍ଷିକ ୨.୧ ନିୟୁତ ମେଟ୍ରିକ୍ ଟନ୍ (ଏମଏମଟିପିଏ) ରୁ ୩୧.୪ ଏମଏମଟିପିଏରେ ପହଂଚିଛି । ଆଲୁମିନା ଉତ୍ପାଦନ ୦.୮ରୁ ୬.୫ ଏମଏମଟିପିଏ ପର୍ଯ୍ୟନ୍ତ ୮ ଗୁଣ ବୃଦ୍ଧି ପାଇଛି । ଆଲୁମିନିୟମ ଉତ୍ପାଦନ ୦.୩୪୫ରୁ ୭.୫ ଗୁଣ ବୃଦ୍ଧି ପାଇ ୨.୬ ଏମଏମଟିପିଏ ହୋଇଛି । ସିମେଂଟ ଉତ୍ପାଦନ ୨୨.୫ ଗୁଣ ବୃଦ୍ଧି ପାଇ ୧.୦ ରୁ ୨୨.୫ ଏମଏମଟିପିଏରେ ପହଂଚିଛି । ବନ୍ଦର କ୍ଷମତା ୨୦.୫ ଏମଏମଟିପିଏରୁ ୧୭୬ ଏମଏମଟିପିଏ ପର୍ଯ୍ୟନ୍ତ ୮.୬ ଗୁଣ ବୃଦ୍ଧି ପାଇଛି । ଶକ୍ତି କ୍ଷମତା ୩.୫ ଗୁଣ ବୃଦ୍ଧି ପାଇ ୫୦୦୯ ମେଗାୱାଟ ରୁ ୧୭,୬୮୫ ମେଗା ୱାଟ୍ ରେ ପହଂଚିଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଯେଉଁ ଭଲ କାମ କରିଆସୁଛି ସେଥିପାଇଁ ଓଡ଼ିଶାବାସୀ ଅତ୍ୟନ୍ତ ଗର୍ବିତ । କିନ୍ତୁ ଦୁର୍ଭାଗ୍ୟବଶତଃ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡ଼ିଶାକୁ ଭାରତ ତଥା ବିଶ୍ୱସ୍ତରରେ ବଦନାମ କରିବା ପାଇଁ ଓଡ଼ିଶା ବିଜେପି ଅଭ୍ୟାସଗତ ଭାବେ ମିଥ୍ୟା ପ୍ରଚାର କରିବାରେ ଲାଗିଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ମହାନ୍ତିଙ୍କ ସହ ଆଲାମ କହିଛନ୍ତି ।