ମାଲକାନଗିରି– ନିଜ ପୁଅକୁ ବାଇକରେ ସ୍କୁଲରେ ଛାଡ଼ିବାକୁ ଯିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ। ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ କରୁଛି ପୁଅ। ଏପରି ଏକ ଦୁର୍ଘଟଣା ଆଜି ସକାଳୁ କାଲିମେଳା ସହର ଠାରୁ ମାତ୍ର ୧ କି.ମି. ଦୂର କାଲିମେଳା – ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥର ରାଇସ ମିଲ ନିକଟରେ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଏମଭି- ୭୦ ସ୍କୁଲର ଶିକ୍ଷକ ଅଜୟ କୁମାର ମହାନ୍ତି। ସେ କାଲିମେଳା ହନୁମାନ ସାହିରେ ରହୁଥିବା ବେଳେ ନିଜ ପୁଅକୁ ବାଇକ ଯୋଗେ ମାଲକାନଗିରିର ଏକ ସ୍କୁଲରେ ଛାଡ଼ିବାକୁ ଯାଉଥିବା ବେଳେ ମାଲକାନଗିରିରୁ କାଲିମେଳା ଅଭିମୁଖେ ଆସୁଥିବା ଏକ ପିକଅପ ଭ୍ୟାନ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ଚଳାଉଥିବା ଅଜୟ ମହାନ୍ତିଙ୍କ ଗୋଟିଏ ହାତ, ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ପିନ୍ଧିଥିବା ହେଲମେଟ ଭାଙ୍ଗି ଚୁରମାର ହୋଇଯାଇଛି। ସେହିପରି ପଛପଟେ ବସିଥିବା ୧୦ ବର୍ଷର ପୁଅର ଗୋଟିଏ ଗୋଡ଼ ଭାଙ୍ଗିଯିବା ସହିତ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଆମ୍ବୁଲାନ୍ସ ଯୋଗେ ନାବାଳକକୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣା କାଲିମେଳାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିକଅପ ଭ୍ଯାନ ଓ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।