ପୁରୀ– ଚଳିତ ମାସ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଅନ୍ତର୍ଜାତିୟ କ୍ଷୁଦ୍ର ଶିଶୁ ଚଳଚ୍ଚିତ୍ର ମହୋତ୍ସବ ପୁରୀ ଟାଉନହଲ ଠାରେ ପ୍ରଦର୍ଶିତ ହେବ । ଏଥିରେ ଶହେରୁ ଉର୍ଦ୍ଧ୍ବ କ୍ଷୁଦ୍ର ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଆଜି ସ୍ଥାନୀୟ ୟୁଥ ହଷ୍ଟେଲ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହାକୁ ଅଗ୍ରଣୀ ଶିଶୁ ଯତ୍ନ ଅନୁଷ୍ଠାନ ରସ୍ ପକ୍ଷରୁ ଆୟୋଜିତ କରାଯାଉଛି । ରସର ନିର୍ଦ୍ଦେଶକ ଦେବାଶିଷ ରଥ କହିଲେ, ଭାରତରେ ୪୪ ପ୍ରତିଶତ ଶିଶୁ ରହିଛନ୍ତି । ସେମାନଙ୍କ ସୁରକ୍ଷା ଓ ସଚେତନତା ପାଇଁ ଏହି ଚଳଚ୍ଚିତ୍ର ମହୋତ୍ସବ ଏକ ସୁଯୋଗ ସୃଷ୍ଟି କରିବ । ଦୁଇ ମିନିଟ୍ ରୁ ୩୦ ମିନିଟ ମଧ୍ୟରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ୪ ଦିନ ଭିତରେ ଦୁଇ ହଜାରରୁ ଉର୍ଦ୍ଧ୍ବ ଶିଶୁ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ବ୍ଯବସ୍ଥା କରାଯାଇଛି । ଚଳଚ୍ଚିତ୍ର ପ୍ରଦର୍ଶିତ ସମୟରେ ଶିଶୁମାନଙ୍କ ସୁରକ୍ଷା, ପାନୀୟଜଳ ଜଳ ଯୋଗାଣ, ଆମ୍ବୁଲାନ୍ସ, ମେଡିକାଲ ଚିକିତ୍ସା ସୁବିଧା ବ୍ଯବସ୍ଥା କରାଯାଇଛି । ୧୪, ୧୫, ୧୬ ତିନି ଦିନ ଦିନ ୧୧ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ୧୭ ତାରିଖ ଦିନ କୁନି ପିଲାମାନଙ୍କ ଦ୍ବାରା ଚିତ୍ରାଙ୍କନ ପ୍ରତିଯୋଗିତା ହେବା ସହ ସଂଧ୍ୟାରେ ଛୋଟ ପିଲାମାନଙ୍କ ଦ୍ବାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଜିଲ୍ଲାର ଆଗ୍ରହୀ ସ୍ଲୁଲର ଛାତ୍ରଛାତ୍ରୀମାନେ ଏହି ଶିଶୁ ଚଳଚ୍ଚିତ୍ର ମାଗଣାରେ ଦେଖିପାରିବେ ।
ଏହି ସମ୍ବାଦିକ ସମ୍ମିଳନୀରେ ଇ-୨୪ ହସ୍ପିଟାଲର ନିର୍ଦ୍ଦେଶକ ରାଜେଶ ମିଶ୍ର, ସମାଜସେବୀ ଚକ୍ରଧର ମହାପାତ୍ର, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟ ଶଙ୍କର ଯୋଶୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ବିନୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କ୍ଷୁଦ୍ର ଶିଶୁ ଚଳଚ୍ଚିତ୍ର ମହୋତ୍ସବ କାର୍ଯ୍ୟକ୍ରମର ମୁଖ୍ଯ ସଂଯୋଜକ ତଥା ସାମ୍ବାଦିକ ସଞ୍ଜୀବ ରଥ ଶର୍ମା ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।