ପିପିଲି- ପୁରୀ-ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥରେ ପୁରୀ ଆଡକୁ ଗଲେ ମଙ୍ଗଳପୁର ପରେ ପରେ ଆସିଥାଏ ସାତଶଙ୍ଖ ବସଷ୍ଟାଣ୍ଡ । ଯାହାକି ପିପିଲି ଥାନା ଓ ସାତଶଙ୍ଖ ଫାଣ୍ଡି ଅଧିନରେ ଆସୁଛି । ସାତଶଙ୍ଖ ବସଷ୍ଟାଣ୍ଡରୁ ଟିକିଏ ପଛକୁ ଆସିଲେ ବାମ ପାଶ୍ୱର୍ରେ ପ୍ରତି ମଙ୍ଗଳ ବାର ଓ ଶନିବାର ସପ୍ତାହକୁ ଦୁଇଥର ବସିଥାଏ ସାତଶଙ୍ଖ ହାଟ । ଏହି ହାଟ କାହିଁ କେଉଁ କାଳରୁ ଏଠାରେ ବସି ଆସୁଛି । ସାକ୍ଷିଗୋପାଳ, ତେଇଶିପୁର, ମଙ୍ଗଳପୁର, ଚନ୍ଦନପୁର ଓ ଏହାର ଆଖପାଖ ଅଂଚଳର ଲକ୍ଷାଧିକ ଲୋକ ଏହି ହାଟ ଉପରେ ନିର୍ଭର କରନ୍ତି । ସପ୍ତାହକ ପାଇଁ ତାଜା ପନିପରିବା କିଣିବା ସାଙ୍ଗକୁ ମାଛ, ଶୁଖୁଆ ଏବଂ ବିଭିନ୍ନ ଗ୍ଲୋସରୀ ସାମଗ୍ରୀ କିଣିବା ପାଇଁ ଏଠାରେ ଲୋକଙ୍କ ଭିଡ଼ ଜମେ । ସାଧାରଣଲୋକେ ଏଟିଏମ୍ ରୁ ଟଙ୍କା ଉଠାଣ କରି ମାକେଟିଂ କରିବାକୁ ଚିନ୍ତା କରି ଘରୁ ଆସିଥାନ୍ତି । ହେଲେ ଆଜି ହାଟ ପାଳିରେ ଏଠାରେ ଥିବା ଦୁଇଟି ଯାକ ଏଟିଏମ୍ ଅଚଳ ଥିବାରୁ ଲୋକେ ସକାଳୁ ସକାଳୁ ନାହିଁନଥିବା ହିନସ୍ତା ହୋଇଥିବା ଦେଖିବାକୁ ମିଳିଥିଲା । ସାତଶଙ୍ଖରେ ଦୁଇଟି ଏଟିଏମ୍ ରହିଛି । ବସଷ୍ଟାଣ୍ଡ ନିକଟରେ ଆନ୍ଧ୍ରବ୍ୟାଙ୍କ ଶାଖା ନିକଟରେ ଆନ୍ଧ୍ରବ୍ୟାଙ୍କର ଏକ ଏଟିଏମ୍ ରହିଥିବା ବେଳେ ସାତସଙ୍ଖ-କୁମାରଶ୍ୱେର- ବଳଙ୍ଗା ରୁଟ୍ ରେ ଅର୍ଥାତ୍ ଏହାର ୧୦୦ ମିଟର ଦୂରରେ ରହିଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଆଉ ଏକ ଏଟିଏମ୍ । ତେବେ ଆଜି ଦୁଇଟି ଯାକ ଏଟିଏମ୍ ଅଚଳ ଥିବା ଦେଖିବାକୁ ମିଳିଥିଲା । ଗୋଟିଏ ଲିଙ୍କ୍ ଫେଲ୍ ଯୋଗୁଁ ଅଚଳ ଥିବା ବେଳେ ଅନ୍ୟଟି କୌଣସି ମେସିନାରୀ ତୃଟି ଯୋଗୁଁ କିମ୍ବା ଟଙ୍କା ନଥିବା ଯୋଗୁଁ କାମ କରୁନଥିବା ଅନୁସନ୍ଧାନରୁ ଜଣାପଡିଛି । ଫଳରେ ହାଟ କରିବାକୁ ଆସିଥିବା ଶହ ଶହ ଲୋକ ସକାଳୁ ସକାଳୁ ଦୁଇଟି ଯାକ ଏଟିଏମ୍ ଆଗରେ ଚକ୍କର କାଟୁଥିବା ଦେଖିବାକୁ ମିଳିଥିଲା । କେତେକ ଲୋକ ବହୁ ସମୟ ଚେଷ୍ଟା କରି ଟଙ୍କା ଉଠାଣ ହେଉନଥିବାରୁ ବିରକ୍ତି ପ୍ରକାଶ କରିଥିବା ବେଳେ ଅନ୍ୟ କେତେକ ବ୍ୟାଙ୍କ କର୍ତୃପକ୍ଷ ଓ ସ୍ଥାନିୟ ପ୍ରଶାସନକୁ ନିନ୍ଦା କରୁଥିବା ପରିଲକ୍ଷିତ ହୋଇଥିଲା । ଅନ୍ୟ ଦିନ ମାନଙ୍କ ଅପେକ୍ଷା ଆପାତତଃ ହାଟ ପାଳିରେ ଏଟିଏମ୍ ଦୁଇଟିକୁ ବ୍ୟବସ୍ଥିତ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।
Related Stories
December 2, 2024