ଭୁବନେଶ୍ୱର– ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ ଶିକ୍ଷାର ବରିଷ୍ଠ ଯୋଗଦାନ ରହିଛି । ଶିକ୍ଷା ହିଁ ପରିବତନର ପ୍ରମୁଖ ମାଧ୍ୟମ ଏବଂ ଏହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି ।
ଶୁକ୍ରବାର ରାଜଭବନରେ ଘରୋଇ ତଥା ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ ଯେ, ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ଜାତୀୟ ଶିକ୍ଷା ନୀତି – ୨୦୨୦ ହେଉଛି ଦୂରଦୃଷ୍ଟିସଂପନ୍ନ ପ୍ରୟାସ । ଏହାକୁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଲାଗୁ କରିବା ଦରକାର । ପାଠ ସହିତ ଶାଠର ଆବଶ୍ୟକତା ରହିଛି । ସାଂପ୍ରତିକ ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । କୌଣସି ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷାରୁ ବଂଚିତ ହେବା ସ୍ପୃହଣୀୟ ନୁହେଁ । ଘରୋଇ ବିଶ୍ୱବିଦ୍ୟାଳୟ ଏହାକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ସହ ସରକାରଙ୍କ ଆରକ୍ଷଣ ନୀତି ଲାଗୁ କରିବାକୁ ରାଜ୍ୟପାଳ କହିଛନ୍ତି । ଓଡ଼ିଶାରେ ଶିଳ୍ପାୟନ ବେଶ୍ ଉତ୍ସାହଜନକ । ଶିଳ୍ପ ଓ ବ୍ୟବସାୟ ଜଗତର ଆବଶ୍ୟକତା ଭିତିରେ ନୂତନ ଦକ୍ଷତାସଂପନ୍ନ ମାନବ ସମ୍ବଳ ସୃଷ୍ଟି ହେବା ଦରକାର । ପ୍ରାସଂଗିକ ପାଠ୍ୟକ୍ରମ ଓ ସମୟର ଆବଶ୍ୟକତା ପୂରଣ ଦିଗରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରଚେଷ୍ଟା କରିବାକୁ ରାଜ୍ୟପାଳ କହିଛନ୍ତି ।
ଭାରତକୁ ବିଶ୍ୱଗୁରୁ ହେବାର ସମୟ ଆସିଛି । ଭାରତର ଯୁବଶକ୍ତି ଆମର ଅମୂଲ୍ୟ ସଂପଦ । ଏହି ଜନସାଂଖିକ ସୁବିଧାର ସଫଳ ଉପଯୋଗ କରିବା ଦରକାର । ଘରୋଇ ବିଶ୍ୱବିଦ୍ୟାଳୟ ରାଜ୍ୟ ତଥା ଦେଶର ପ୍ରଗତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଆନୁଷ୍ଠାନିକ ସାମାଜିକ ଦାୟିତ୍ୱ ନର୍ବାହ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଗୁଣାତ୍ମକ ଶିକ୍ଷାର ମାନ ନିର୍ଦ୍ଧାରଣ ନିମନ୍ତେ ଯେଉଁସବୁ ମାନକ ଓ ବିଧିବ୍ୟବସ୍ଥା ରହିଛି, ପ୍ରତ୍ୟେକ ପାଳନ କରିବା ଦରକାର । ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ପାଇଁ ଅନୁରୂପ ଚିନ୍ତନ ଓ ପ୍ରସ୍ତୁତି ଆବଶ୍ୟକ । ସମୟର ଆହ୍ୱାନକୁ ସାମ୍ନା କରିବାକୁ ବିଶ୍ୱବିଦ୍ୟାଳୟର କ୍ଷମତା ବୃଦ୍ଧି ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି ।
କୁଳପତି ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ରାଜ୍ୟ ସରକାରଙ୍କ ବିଭିନ୍ନ ଶୈକ୍ଷିକ ନୀତି ଓ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରିୟାଶୀଳ ସମନ୍ୱୟ ଓ ସଂପର୍କ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ନ୍ୟାସନାଲ ଏକାଡେମିକ ଡିପୋଜିଟୋରର ସୁବିଧାର ଉପଯୋଗ କରିବା, ସରକାରୀ ପ୍ରୋତ୍ସାହନ ସଂପର୍କରେ ସଚେତନତା ସୃଷ୍ଟି ତଥା ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ କ୍ଷେତ୍ରରେ ନବସର୍ଜନାକୁ ପ୍ରୋତ୍ସାହିତ କରିବା ପାଇଁ ସହଯୋଗ କାମନା କରିଥିଲେ ।
ସମ୍ମିଳନୀରେ ରାଜ୍ୟର ୧୩ଗୋଟି ଘରୋଇ ଓ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନେ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ, ଆଦର୍ଶ, ପ୍ରଗତି ଓ ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ । ରାଜଭବନର ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଉପସ୍ଥିତ ଥିଲେ ।