
ଭବାନୀପାଟଣା– ଆଜି ସ୍ଥାନୀୟ ରେଡକ୍ରସ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଆଇ ସି ଟି ସି (ଏଡ଼ସ) ମିଳିତ ଆନୁକୁଲ୍ୟରେ ୩୬ତମ ବିଶ୍ଵ ଏଡସ ଦିବସ ପାଳନ ହୋଇଯାଇଛି । ଏଡସ ରୋଗର ସଂକ୍ରମଣ ରୋକିବା, ଏଚ ଆଇ ଭି ସଂକ୍ରମିତ ଲୋକକୁ ସମର୍ଥନ ଓ ଏହାର ନିରାକରଣ ଦିଗରେ ବ୍ୟାପକ ପ୍ରଚାର କରିବା ଉଦ୍ଦେଶ୍ୟରେ ଏଡସ ଦିବସ ସାରା ବିଶ୍ବରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲ୍ଲା ସଦରମହକୁମା ଡାକ୍ତରଖାନାରୁ ଏକ ଶୋଭାଯାତ୍ରା ବାହାରି ଏଡସ ନିରାକରଣ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ଲାକାର୍ଡ ଧରି ସ୍ଲୋଗାନ ପୂର୍ବକ ସହର ପରିକ୍ରମା କରି ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ଜିଲ୍ଲା ରେଡକ୍ରସ ୟୁଥ ( ରେଡ ରିବନ) ସଭ୍ୟ, ସାରଳା ଜି.ଏନ.ଏମ ଟ୍ରେନିଂ ସେଣ୍ଟର୍, ମା ମାଣିକେଶ୍ବରୀ ସିନିୟର ନର୍ସିଂ ଟ୍ରେନିଂ ସେଣ୍ଟର, ସରକାରୀ ଏ.ଏନ.ଏମ ସେଣ୍ଟରର ଛାତ୍ରୀ ତଥା ଜୟପ୍ରକାଶ ନାରାୟଣ ସନ୍ଧ୍ୟା ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ ।
ରେଡକ୍ରସ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସି.ଡି.ଏମ.ଓ. ଡା. ସୁଚେତା ପାଣି, ଡେପୁଟି ଜିଲ୍ଲାପାଳ ଶରତ କୁମାର ସାହୁ, ଏ.ଡି.ପି.ଏଚ.ଓ ଡା. ନିହାରେନ୍ଦ୍ର ପଣ୍ଡା, ଡି.ଆଇ.ପି.ଆର.ଓ. ମନୋଜ କୁମାର ବେହେରା ଏବଂ ମୁଖ୍ୟବକ୍ତା ତଥା ଶିକ୍ଷାବିତ ସତ୍ୟସାଇ ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡଃ. ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ । ଅତିଥିଗଣ ଏଡସ ମହାମାରୀକୁ ରୋକିବାକୁ ହେଲେ ଏଚ ଆଇ ଭି ସଙ୍କ୍ରମଣକୁ ପ୍ରତିହତରେ ସମସ୍ତ ଉପାୟ ଅବଲମ୍ବନ, ଠିକ ଚିକିତ୍ସା ଓ ଔଷଧ ସେବନ, ଅଧ୍ୟାତ୍ମିକତା ଓ ନୈତିକତାକୁ ପାଥେୟ, ଗୋଷ୍ଠୀରେ ନେତୃତ୍ଵ, ଜୀବନସାଥୀ ପ୍ରତି ବିଶ୍ବସ୍ତତାକୁ ପ୍ରାଧାନ୍ୟ ଦେବାକୁ ଗୁରୁତ୍ଵ ଦେଲେ । ସେଭଳି ଏଡ଼ସ ସମ୍ବନ୍ଧୀୟ ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।
ସଭାକୁ ପରିଚାଳନା କରିଥିଲେ ଆଇ.ସି.ଟି.ସି ପରମର୍ଶଦାତା ରାମଚନ୍ଦ୍ର ବସନ୍ତିଆ ଓ ଜ୍ଞାନ ରଞ୍ଜନ ପ୍ରଧାନ, ହିମାଂଶୁ ଓଝା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମାନସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।