ଭୁବନେଶ୍ୱର– ଇଏସଆଇ ଡାକ୍ତରଖାନା ଗୁଡ଼ିକର ସୁଧାର ଏବଂ ନାରୀ ନିର୍ଯ୍ୟାତନାରେ ସଂପୃକ୍ତ ଡାକ୍ତର ଦିଲ୍ଲୀପ ସାହୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ୱର ଜିଲ୍ଳା ଛାତ୍ର କଂଗ୍ରେସ ପକ୍ଷରୁ ଗୁରୁବାର ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଘେରାଉ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଥିଲେ ଯେ ଓଡ଼ିଶରେ ଇଏସଆଇ ହସପିଟାଲର ସ୍ଥିତି ଉଦ୍ବେଗଜନକ । ଡାକ୍ତରମାନଙ୍କ ଅଭାବରୁ ଇଏସଆଇ ଠିକ୍ ଭାବରେ ଚିକିତ୍ସା ଯୋଗାଇ ପାରୁନାହିଁ । ବିଭିନ୍ନ ଜିଲ୍ଳାରେ ଥିବା ଇଏସଆଇ ହସପିଟାଲ ବେଡରେ ଧୂଳି ଲାଗିଗଲାଣି ତ ଯନ୍ତ୍ରାଂଶ ଖତ ଖାଇଗଲାଣି । ଯେଉଁମାନେ ଇଏସଆଇ ହସପିଟାଲ ଉପରେ ନିର୍ଭରଶୀଳ ସେମାନେ ହଇରାଣ ହରକତ ହେଉଛନ୍ତି ଏବଂ ଇଏସଆଇର ମୁଖ୍ୟ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ । ସେହିପରି ମହିଳା ଷ୍ଟାଫଙ୍କୁ ନିର୍ଯ୍ୟାତନା ଦେଇଥିବା ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ଡାକ୍ତରଙ୍କୁ ସୁରକ୍ଷା ଦିଆଯାଉଛି । ଇଏସଆଇ ରେ କାର୍ଯ୍ୟରତ ଡାକ୍ତର ଦିଲ୍ଲୀପ କୁମାର ସାହୁ ପାରାଦ୍ୱୀପରେ ପୋଷ୍ଟିଂ ପାଇଥଲେ ହେଁ ଭୁବନେଶ୍ୱରର ରାଜମହଲ ଛକ ସ୍ଥିତ ଅପ୍ଟିକୋରେ ପ୍ରାକ୍ଟିସ କରୁଛନ୍ତି । ଦିଲ୍ଲୀପ ସାହୁଙ୍କ ନାମରେ ପୂର୍ବରୁ ମହିଳାଙ୍କୁ ଅତ୍ୟାଚାର ଓ ଦୁଷ୍କର୍ମ ପାଇଁ ଉଦ୍ୟମ ଅଭିଯୋଗ ରହିଥିଲା । ଯେଉଁଥିପାଇଁ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ମାତ୍ର ସରକାର ଏଭଳି ବିଶୃଙ୍ଖଳିତ, ଅସାଧୁ ଏବଂ ସ୍ଖଳିତ ଚରିତ୍ରର ବ୍ୟକ୍ତଙ୍କ ଉପରୁ ନିଲମ୍ବନ ଆଦେଶ କାହିଁକି ଉଠାଇନେଇଛନ୍ତି । ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ତାଙ୍କୁ ଗିରଫ କରାଗଲା ନାହିଁ । ଏବେ ତାଙ୍କ ଉପେର ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି ଅର୍ଥାତ ଡିପାର୍ଟମେଂଟ ପକ୍ଷରୁ, କିମ୍ବା ମନ୍ତ୍ରୀଙ୍କର ତାଙ୍କ ଉପରେ ଅଦୃଶ୍ୟ ଆଶୀର୍ବାଦ ରହିଛି ବୋଲି ଅଭିଯୋଗ ହେଉଛି । ଏହି ଘଟଣାରେ ଯେଉଁ ମହିଳା ଯୌନ ନିର୍ଯ୍ୟାତନା ପାଇଥିଲେ ତାଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଛି ।
ତେଣୁ ଛାତ୍ର କଂଗ୍ର୍ରେସ ଦାବି କରିଛି ଯେ ତୁରନ୍ତ ସେହି ମହିଳା ଷ୍ଟାଫଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଫେରାଇ ଅଣାଯାଉ , ମହିଳା ଷ୍ଟାଫଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଡାକ୍ତର ଦିଲ୍ଲୀପ ସାହୁଙ୍କୁ ଚାକରୀରୁ ବହିସ୍କାର କରାଯାଉ ଏବଂ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହା ବ୍ୟତୀତ ଇଏସଆଇରେ ଅଧିକ ଡାକ୍ତର ନିଯୁକ୍ତି ଦିଆଯାଉ ଏବଂ ଏହାର ହିତାଧିକାରୀ ମାନଙ୍କୁ ଉତମ ଚିକିତ୍ସା ଯୋଗାଦେବାକୁ ଛାତ୍ର କଂଗ୍ରେସ ଦାବି କରିଛି ।