ଭୁବନେଶ୍ୱର, ମଙ୍ଗଳବାର ଫିକା, ବୁଧବାର ଜମିଲା । ଗତକାଲି ଛାଡଖାଇ ମାନ୍ଦା ପଡିଥିବା ବେଳେ ଆଜି ବୁଧବାରରେ ଜମିଛି ଛାଡଖାଇ ବଜାର । ଘରେ ଘରେ ଆଜି ଆମିଷ ରୋଷେଇ ହୋଇଛି । ଆଜି ସକାଳୁ ସକାଳୁ ନନଭେଜ ମାର୍କେଟରେ ଭିଡ ଜମିଥିଲା । ମାଛ, ମାଂସ, ଚିଙ୍ଗୁଡି, କଙ୍କଡା, ଚିକେନ ଦୋକାନରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ରାଜଧାନୀ ଠାରୁ ଆରମ୍ଭ କରି କଟକ, ପୁରୀ ସମେତ ବିଭିନ୍ନ ଜିଲ୍ଲାର ନନଭେଜ ମାର୍କେଟରେ ବିକ୍ରିବଟା ଜୋରଦାର ହୋଇଛି ।
ଆଜି ଅଧିକ ଚାହିଦା ଥିବାରୁ ଆମିଷ ଦର ବି ଟିକେ ଉଚ୍ଚା ରହିଛି। ୟୁନିଟ୍-୪ ମାର୍କେଟରେ ଆଜି ମଟନ୍ ଦର କିଲୋ ପ୍ରତି ୯୦୦ ଟଙ୍କା ଥିବା ବେଳେ କଙ୍କଡ଼ା ୧୨୦୦ରୁ ୧୮୦୦ ଟଙ୍କା ରହିଛି। ଏଣେ ଚିଙ୍ଗୁଡ଼ି ଦର ୧ ହଜାର ଟଙ୍କା ଯାଏ ରହିଛି। ତେବେ ମାଛ ଦରରେ ଗତକାଲି ତୁଳନାରେ ବିଶେଷ ଫରକ୍ ନାହିଁ।
ବେପାରୀମାନେ ବି ବୁଧବାରକୁ ଦେଖି ସେହି ଅନୁସାରେ ମାଲ୍ ବରାଦ କରି ରଖିଥିଲେ। ଓଡ଼ିଶା ଛେଳି ଯଥେଷ୍ଟ ହେବ ନାହିଁ ବୋଲି ପୂର୍ବରୁ ପଶ୍ଚିମବଙ୍ଗରୁ ଛେଳି ଚାଲାଣ ହୋଇଥିଲା। ସେହିଭଳି ଆନ୍ଧ୍ରପ୍ରଦେଶରୁ ମାଛ ଓ ଚିକେନ୍ କିଛିଟା ଅଧିକ ପରିମାଣରେ ଆମଦାନି ହୋଇଥିବା ଜଣାଯାଇଛି।
କାର୍ତ୍ତିକ ମାସ ଯାକ ନିରାମିଶ ଖାଦ୍ୟ ଖାଇଥାନ୍ତି ଲୋକେ, ହେଲେ ପୂର୍ଣ୍ଣିମା ସରିବା ପରେ ଆମିଷ ଖାଇ ଛାଡଖାଇ ପାଳନ କରିଥାନ୍ତି ଲୋକେ । ଗତକାଲି ମଙ୍ଗଳବାର ପାଇଁ ଟିକେ ଫିକା ପଡିଯାଇଥିଲା ଆମିଷ ବଜାର । ହେଲେ ଆଜି ଛାଡଖାଇ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।