ଭୁବନେଶ୍ୱର, ଭିଜିଲାନ୍ସ ଜାଲରେ ପୁଣି ଜଣେ ରାଜସ୍ୱ ନିରୀକ୍ଷକ। ଲାଞ୍ଚ ନେଉଥିବା ବେଳେ ଫସିଲେ ସୁନ୍ଦରଗଡ ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ । ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ।
ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ ଜଣେ ବ୍ୟକ୍ତିଙ୍କୁ ଚାଷଜମିକୁ ବାସୋପଯୋଗୀ ଜମିରେ ରୂପାନ୍ତରିତ କରିବା ନେଇ ରିପୋର୍ଟ ଦେବା ଲାଗି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ଯୋଜନା ମୁତାବକ ଆଜି ଅଭିଯୋଗକାରୀ ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ସେଠାରେ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଲିଲି ଚୌଧୁରୀଙ୍କଠାରୁ ୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍।
ଏହାପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲିଲି ଚୌଧୁରୀଙ୍କ ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି କରିଛି ଭିଜିଲାନ୍ସ। ଏନେଇ ରାଉରକେଲା ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି।