ଭାଗବତ ଓଡ଼ିଆ ଜାତିର ଆଦର୍ଶ ଏବଂ ଓଡ଼ିଆଙ୍କ ଜାଗରଣର ସୂତ୍ରଧର- ପ୍ରଫେସର ଉଦୟନାଥ ସାହୁ
ଭୁବନେଶ୍ୱର – ଅତିବଡ଼ି ଶ୍ରୀଜଗନ୍ନାଥ ଦାସକୃତ ଶ୍ରୀମଦଭାଗବତ ଏକ ମହାପୁରାଣ ଏବଂ ଏହା ଓଡ଼ିଆ ଜାତିର ଆଧ୍ୟାତ୍ମିକ ଅନୁଭୂତିର ପ୍ରାମାଣିକ ଗ୍ରନ୍ଥ । ଓଡ଼ିଆ ଜାତିର ଐକ୍ୟ ବିଧାୟକ ଶକ୍ତି ଭାବରେ ଘରେ ଘରେ ପୂଜିତ ଭାଗବତ ଅଶେଷ ଜନଙ୍କ ହିତ ନିମନ୍ତେ ଉଦ୍ଦିଷ୍ଟ ଗଣସାହିତ୍ୟ । ଏହା ଓଡ଼ିଆ ଜାତିର ଆଦର୍ଶ ଏବଂ ଓଡ଼ିଆଙ୍କ ଜାଗରଣଙ୍କ ସୂତ୍ରଧର । ଏହା ଓଡ଼ିଆ ଜାତିକୁ ଦାର୍ଶନିକ ଜାତିରେ ପରିଣତ କରି ଇହକାଳ ଓ ପରକାଳର ଶାସ୍ତ୍ର ଭାବରେ ସୁବିଦିତ ହୋଇଛି ବୋଲି ବିଶିଷ୍ଟ ବିଦ୍ୱାନ ତଥା ଗବେଷକ ପ୍ରଫେସର ଉଦୟନାଥ ସାହୁ ପ୍ରକାଶ କରିଛନ୍ତି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମରେ ଶ୍ରୀମଦଭାଗବତ ଉପରେ ବକ୍ତବ୍ୟ ରଖି ଦିଲ୍ଲୀସ୍ଥିତ ଜବାହରଲାଲ ବିଶ୍ୱବିଦ୍ୟାଳୟର ଆଦିକବି ସାରଳା ଦାସ ଚେୟାର ପ୍ରଫେସର ସାହୁ କହିଲେ ଯେ ରସଐଶ୍ୱର୍ଯ୍ୟ ଓ କାବ୍ୟମାଧୁର୍ଯ୍ୟ ପାଇଁ ଭାଗବତ ବିଖ୍ୟାତ । ଉତରଭାରତୀୟ ଭାଷାଗୁଡ଼ିକରେ ଶ୍ରୀଜଗନ୍ନାଥ ଦାସଙ୍କ ଭାଗବତ ଅନୁବାଦ ସର୍ବପ୍ରଥମ । ଏହାର ପ୍ରଥମ ସ୍କନ୍ଦ ପ୍ରସ୍ତାବନା, ଦ୍ୱିତୀୟରୁ ନବମ ସ୍କନ୍ଦ ବିଷ୍ଣୁ-କୃଷ୍ଣ ସମନ୍ୱୟ ଓ ପୌରାଣିକ ବର୍ଣ୍ଣନା, ଦଶମ ଓ ଏକାଦଶ ସ୍କନ୍ଦ ଶ୍ରୀକୃଷ୍ଣଙ୍କ ଜୀବନୀ ଓ ଦ୍ୱାଦଶ ସ୍କନ୍ଦ ଉପସଂହାରରେ ସମୃଦ୍ଧ ହୋଇଥିବାବେଳେ ୩୪୧ ଅଧ୍ୟାୟ ବିଶିଷ୍ଟ ନବାକ୍ଷରୀ ଛନ୍ଦରେ ରଚିତ ଭାଗବତକୁ କୃଷ୍ଣାୟନ ଭାବରେ ଅଭିହିତ କରାଯାଇପାରିବ । ଓଡ଼ିଆ ଭାଗବତରେ ଅଧ୍ୟାୟ, କ୍ରମ, ବିଷୟ ଓ ଉପମା ପ୍ରଦାନ କ୍ଷେତ୍ରରେ ମୂଳ ସଂସ୍କୃତ ଭାଗବତ ସହିତ ଅନେକ ବୈଷମ୍ୟ ଓ ସ୍ୱାତନ୍ତ୍ର୍ୟ ରହିଛି ବୋଲି ଦର୍ଶାଇ ପ୍ରଫେସର ସାହୁ କହିଥିଲେଯେ ୧୯୦୧ ମସିହାରେ ହୋଇଥିବା ଜନସୁମାରୀରେ ଓଡ଼ିଶାରେ ସାକ୍ଷରମାନଙ୍କ ସଂଖ୍ୟାଧିକ ଥିଲା, କାରଣ ସମସ୍ତଙ୍କ ଦ୍ୱାରା ଭାଗବତ ପାଠ ଅବ୍ୟାହତ ରହିଥିଲା । ପଂଚଦଶ ଶତାବ୍ଦୀରେ ଲିଖିତ ଭାଗବତର ରଚନାକାର ଜଗନ୍ନାଥ ଦାସଙ୍କ ଜୀବନୀ ସମ୍ପର୍କରେ ବ୍ରହ୍ମାଣ୍ଡ ଭୂଗୋଳ ଚୂଡ଼ାମଣି, ପ୍ରେମବତୀ, ଚୈତନ୍ୟ ଭାଗବତ ଓ ପଦ୍ମପାଦ ସୁଧାନିଧି ଇତ୍ୟାଦି ଗ୍ରନ୍ଥରୁ ସୂଚନା ମିଳୁଥିବାବେଳେ ଅଲୌକିକତା ଅତିବଡ଼ିଙ୍କ ବିଭୂତି ଥିଲାବୋଲି ବିଶ୍ୱାସ କରାଯାଏ । ଭାଗବତର ଭାଷା ପରବର୍ତୀ ସମୟରେ ମାନକ ଓଡ଼ିଆ ଭାଷା ଭାବରେ ବିବେଚିତ ହେବା ସହିତ ଓଡ଼ିଶାର ଶ୍ରେଷ୍ଠ ଗ୍ରନ୍ଥ ଭାବରେ ପରିଚିତ ବୋଲି ପ୍ରଫେସର ସାହୁ କହିଥିଲେ ।
ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ ମଧ୍ୟ ବକ୍ତବ୍ୟ ରଖି ଭାଗବତର ଅନନ୍ୟ ମହାତ୍ମ୍ୟ ଓ ଅନତିକ୍ରମେ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରଥିଲେ । ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ. ତମସାରାଣୀ ଦାସମହାପାତ୍ର ପୌରୋହିତ୍ୟ କରି ସ୍ୱାଗତ ଭାଷଣ ଦେବା ସହିତ ପୁସକ ଚର୍ଚ୍ଚା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରତିଷ୍ଠାନର କାର୍ଯ୍ୟାଳୟ ତତ୍ୱାବଧାରକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଫେସର ରାଜକିଶୋର ମିଶ୍ର, ଡ. ଶକୁନ୍ତଳା ବଳିୟାରସିଂହ ଓ ଡ. ମନୋରମା ବିଶ୍ୱାଳ ମହାପାତ୍ରଙ୍କ ସମେତ ବହୁ ସାହିତ୍ୟିକ, ଲେଖକ, ବୁଦ୍ଧିଜୀବୀ ଓ ପୁସ୍ତକପ୍ରେମୀ ଉପସ୍ଥିତ ଥିଲେ ।