ବାରିପଦା/ଭୁବନେଶ୍ୱର– ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସୋମବାର ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା; ତେଣୁ ପାଠ ପଢ଼ିବା ପାଇଁ ତାଙ୍କୁ ଘରୁ ଦୂରକୁ ଯିବାକୁ ପଡ଼ିଥିଲା । ସେ ଆହୁରି କହିଥିଲେ ଯେ, ଘର ପାଖରେ ବିଦ୍ୟାଳୟ ନଥିବାରୁ ସେହି ସମୟରେ ଅନେକ ପିଲା ପାଠପଢ଼ାରୁ ବଂଚିତ ହୋଇଥିଲେ, ଏହି ସମସ୍ୟା ଆଜି ଦେଖିବାକୁ ମିଳୁନାହିଁ । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ପିଲାମାନେ ଏବେ ଶିକ୍ଷାର ଅଧିକ ସୁଯୋଗ ପାଇବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।ରାଷ୍ଟ୍ରପତି କହିଥିଲେ ଯେ ଶିକ୍ଷା ହେଉଛି ଆର୍ôଥକ ଏବଂ ସାମାଜିକ କଲ୍ୟାଣର ଚାବିକାଠି । ସେ ଅଭିଭାବକମାନଙ୍କୁ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ପରାମର୍ଶ ଦେଇଥିଲେ ।
ପିଲାମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ସେମାନଙ୍କ ଭଳି ସେ ମଧ୍ୟ ଏକ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି । ପାଠପଢ଼ା ଯୋଗୁଁ ସେ ନାଗରିକଙ୍କ ସେବା କରିବାର ସୁଯୋଗ ପାଇଥିଲେ । ଶିକ୍ଷା ସେମାନଙ୍କୁ ସଫଳ କରିପାରିବ ବୋଲି ରାଷ୍ଟ୍ରପତି କହିଥିଲେ । ଜଣେ ଶିକ୍ଷିତ ବ୍ୟକ୍ତି ଭାବେ ସେମାନେ ନିଜ ବିକାଶ ସହିତ ଦେଶ ଓ ସମାଜର ପ୍ରଗତିରେ ଯୋଗଦାନ ଦେଇପାରିବେ ।
ଆଦିବାସୀ ଅଧ୍ୟୁଷିତ ଅଂଚଳରେ ରେଳ, ଜାତୀୟ ରାଜପଥ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଭାରତ ସରକାର ବିଭିନ୍ନ ମନ୍ତ୍ରଣାଳୟ ଜରିଆରେ ବହୁମୁଖୀ ଯୋଜନା ଆରମ୍ଭ କରିଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ସମଗ୍ର ଦେଶରେ ୭୦୦ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବାରୁ ସେ ଆନନ୍ଦିତ ହୋଇଥିଲେ । ସେ କହିଥିଲେ ଯେ ଏହି ବିଦ୍ୟାଳୟଗୁଡ଼ିକରେ ସମଗ୍ର ଭାରତରେ ୩.୫ ଲକ୍ଷରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବା ସହିତ ସମାଜ ଏବଂ ରାଷ୍ଟ୍ରର ବିକାଶରେ ଯୋଗଦାନ କରିବାକୁ ସକ୍ଷମ ହେବେ ।