କନ୍ଧମାଳ- ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୧୦ରୁ ୧୫ ବର୍ଷ ହେଲାଣି ବିଦ୍ୟାଳୟ ଗୃହ ନିର୍ମାଣ ନକରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ବେଶ୍ ଆରାମରେ ବୁଲୁଥିବା ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପ୍ରଶାସନ ଚୁପ୍ ବସିଛି । ଏଣେ ଚିଠି ଲେଖି କାମ ସାରି ବସିଛି ଶିକ୍ଷା ବିଭାଗ । କେବଳ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ନୋଟିସ୍ ଜାରୀ କରିଛି ବିଭାଗ । କେତେକଙ୍କ ନାଁରେ ଭିଜିଲାନ୍ସରେ ମାମଲା ମଧ୍ୟ ହୋଇଛି । ଭୟରେ କିଛି ଅଧାପନ୍ତୁରିଆ ଅବସ୍ଥାରେ ଛାଡିଦେଇ ଛୁ ମାରିଥିବା ବେଳେ ଅନ୍ୟ କେତେକ ଶିକ୍ଷକ ଘରକାମ ତରବରିଆ ଭାବରେ ସାରିଦେଇଥିବା ଜଣାପଡିଛି । ତେବେ, ୧୦୪ଟି ସ୍କୁଲର ଶିକ୍ଷକ ମାନେ ପ୍ରାୟ ୫୦ ଲକ୍ଷରୁ ଅଧିକା ଟଙ୍କା ହଡ଼ପ କରି ବୁଲୁଛନ୍ତି । ସେମାନେ କାର୍ଯ୍ୟ ଆରମ୍ଭ କରିନଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ଯନ୍ତ୍ରୀମାନେ ମଧ୍ୟ ସେମାନଙ୍କୁ କିଛି କହୁନାହାଁନ୍ତି ।
ଅଧାପନ୍ତରିଆ ଅବସ୍ଥାରେ ଥିବା ୧୦୪ଟି ସ୍କୁଲଘର ମଧ୍ୟରୁ କୋଟଗଡ ୧୯, ଫୁଲବାଣୀ ୧୧, ଚକାପାଦ ୮, ବାଲିଗୁଡା ୬, ଦାରିଙ୍ଗବାଡି ୧୧, ରାଇକିଆ ୪, ଜି.ଉଦୟଗିରି ୧, ଟିକାବାଲି ୩, ତୁମୁଡିବନ୍ଧ ୧୪, ଖଜୁରୀପଡା ୪, ଫିରିଙ୍ଗିଆ ୪, କ.ନୂଆଗାଁରେ ୧୧ଟି ବୋଲି ଜଣାପଡିଛି । ତେବେ, ୧୯ ଜଣ ଶିକ୍ଷକଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ଚାଲିଛି, କିଛି ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଗଲେଣି । ଜିଲ୍ଲାରେ ପ୍ରାଥମିକ ଶିକ୍ଷା ପାଇଁ ୧୮୭୨ ଟି ପ୍ରାଥମିକ ବିଦ୍ୟାଳୟ ଓ ୬୦୫ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଏଣୁ, ସରକାର ଓ ଶିକ୍ଷା ସଚିବ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହେଉଛି ।