
ପୁରୀ- ଶ୍ରୀକ୍ଷେତ୍ର ହେବ ବିଶ୍ୱ ଐତିହ୍ୟ ନଗରୀ । ଶ୍ରୀମନ୍ଦିର ହେବ ସୁରକ୍ଷିତ । ଶ୍ରୀମନ୍ଦିର ଚାରିପଟେ ସୃଷ୍ଟି ହେବ ସବୁଜ ବନାନୀ । ତୁରୀଭଳି ନିର୍ମିତ ହେବ ଟ୍ରମ୍ପେଟ ବ୍ରିଜ । ସୁଖଦ ଅନୂଭୁତି ନେଇ ଫେରିବେ ଭକ୍ତ । ଭକ୍ତଙ୍କ ପାଇଁ ନିର୍ମିତ ହେଉଛି ବିରାଟ ସେଡ୍ । ଧାଡି ଦର୍ଶନରେ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଏହିସବୁ କଥା କହି ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ନାଁରେ ୭୫ ମିଟର ପର୍ଯ୍ୟନ୍ତ ସୁରକ୍ଷା କରିଡର ସୃଷ୍ଟି କରିବା ପାଇଁ ଉଚ୍ଛେଦ ଜୋରଦାର କରିଛନ୍ତି । ନୂଆବର୍ଷ ଗହଳିକୁ ନେଇ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏମାର ମଠ, ବଡଆଖେଡା ମଠ, ଲଙ୍ଗୁଳି ମଠ, ସାନଛତା ମଠରେ ସ୍ଥାୟୀ ଦୋକାନ କରିଥିବା ବ୍ୟବସାୟୀ ଓ ଭକ୍ତଙ୍କ ଉପରେ ନିର୍ଭର କରି ବ୍ୟବସାୟ କରୁଥିବା ଉଠାଦୋକାନୀମାନେ ଏବେ ଭାଳେଣୀରେ ପଡିଛନ୍ତି । ସରକାର ଦେଖାଇଥିବା ସ୍ୱପ୍ନ ଚୁରମାର ହୋଇଯିବନି ତ । ବଡବଡିଆ ଗହଣା ଦୋକାନୀଙ୍କୁ ବଲ୍ଲଭ ଭିତରେ ଥିବା ମାର୍କେଟ କମ୍ପେ୍ଲକ୍ସରେ ସ୍ଥାନ ଦିଆଯାଇଛି । ଅନ୍ୟ ବ୍ୟବସାୟୀମାନେ ଏବେ ହାତବାନ୍ଧି ବସିଛନ୍ତି । ଜନହିତକାରୀ ସରକାର ହଜାର ହଜାର ଲୋକଙ୍କୁ ବ୍ୟବସାୟ ନଷ୍ଟକରି କି ଐତିହ୍ୟ ସଜାଡିବେ ତାକୁ ନେଇ ଏବେ ସହରରେ ସନ୍ଦେହ ସୃଷ୍ଟି ହୋଇଛି । ପୌରମାର୍କେଟ, ମହୋଦଧି ମାର୍କେଟକୁ ଧୂଳିସାତ୍ କରି ସେଠାରେ ଏବେ ପୌରସଂସ୍ଥା ଅସ୍ଥାୟୀ ଭିତିରେ ଚାରିଚକିଆ ଗାଡି ପାର୍କିଂ ପାଇଁ ବ୍ୟବହୃତ ହେଉଛି । ବ୍ୟବସାୟୀମାନେ ଏବେ କହୁଛନ୍ତି ସେଠାରେ ମାର୍କେଟ କମ୍ପ୍ଲକ୍ସ ନିର୍ମାଣର ନାଁ ଗନ୍ଧ ନାହିଁ । ହବକି ନାହିଁ ତାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହେଲାଣି । ସରକାର ସ୍ୱପ୍ନ ଦେଖାଇ ଆମ ସ୍ୱପ୍ନ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ବିକାଶ ନାଁରେ ବିନାଶ ପ୍ରାଥମିକତା ହୋଇଛି । ଭକ୍ତମାନେ ସାନଛତା ମଠ, ବଡଆଖେଡା ମଠ ଓ ଲଙ୍ଗୁଳି ମଠରେ ନାମ ସଂକୀର୍ତନ ଶୁଣି ଯେଉଁ ଭକ୍ତିଭାବ ସୃଷ୍ଟି ହେଉଥିଲା ତାହା ଏବେ ନାହିଁ । ଏବେ କେବଳ ନନ୍ଦନକାନନ ବୁଲିଲା ପରି ଗୁଡିଏ ଗଛ, ଛତା ଆକୃତିର ସେଡ୍ ଓ ଖୋଲାଜାଗା ଦେଖୁଛନ୍ତି । ଏମାର ମଠ, ଲଙ୍ଗୁଳି ମଠ ଓ ବଡଆଖେଡା ମଠକୁ ଲୁଚାଇବା ପାଇଁ ବଡ ବଡ ଗଛ ଦ୍ୱାରା ଆବୃତ କରିଛନ୍ତି । ଖରାଯୋଗୁଁ ବଡ ବଡ ଗଛଗୁଡିକ ପତ୍ର ଝଡିଆ ଆରମ୍ଭ କଲାଣି । ଶ୍ରୀମନ୍ଦିର ଚାରିପଟେ ସବୁଜ ବନାନୀ ଓ ସ୍ଥାୟୀଗଛ ପାଇଁ ଚିତ୍ରରେ ଦେଖାଯାଉଥିବା ବେଳେ କେବଳ ସିଂହଦ୍ୱାରରେ କୋଟି କୋଟି ଟଙ୍କାର ଅସ୍ଥାୟୀଗଛ ଥୁଆହୋଇଛି । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଆସିବେ ଓ ସୁପ୍ରିମକୋର୍ଟରେ ମାମଲା ଥିବାରୁ ସେଥିପାଇଁ ଏ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସିଂହଦ୍ୱାରଠାରେ କେତେକ ବୁଦ୍ଧିଜୀବି ଆଲୋଚନା କରୁଥିବା ଶୁଣାଯାଉଥିଲା । ଐତିହ୍ୟକୁ ଭାଙ୍ଗି ଚୁରମାର କରାଯିବା ପରେ କେଉଁ ଐତିହ୍ୟକୁ ନେଇ ଗର୍ବ କରାଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ନଅଙ୍କ ଦୁର୍ଭିକ୍ଷ ସମୟରେ ଏମାର ମଠ ହଜାର ହଜାର ଲୋକଙ୍କୁ ଅନ୍ନଛତ୍ର ଦେଇ ବଂଚାଇବା ଇତିହାସ ଏବେ ଧୂଳିସାତ୍ । ଯେଉଁ ମଠରୁ ରୂପାଇଟା ବାହାରିଥିଲା ଓ ମଠ ପକ୍ଷରୁ ଶ୍ରୀମନ୍ଦିର ବେଢ଼ା ଭିତରେ ଲକ୍ଷ୍ମୀ ମନ୍ଦିର ନିର୍ମାଣ କରାଯାଇଥିଲା । ତାହାର ସ୍ମୃତି ରକ୍ଷା ପାଇଁ ସେତେବେଳେ ଶ୍ରୀମନ୍ଦିର ଅଁଳା ବେଢାରେ ରାମନନ୍ଦି ଚିତା ଶୋଭାପାଇବା ପାଇଁ ବ୍ୟବସ୍ଥା ହୋଇଥିଲା । ଏବେ ସେହିମଠ ଦିନ ଦରିଦ୍ର କାଙ୍ଗାଳ ଅବସ୍ଥାରେ ପଡିରହିଛି । ଓଡିଶାର ପାଠାଗାର ଆନ୍ଦୋଳନରୁ ଅଗ୍ରଭାଗରେ ଥିବା ରଘୁନନ୍ଦନ ପାଠାଗାର ବିଶ୍ୱସ୍ତରୀୟ କରିବା ପାଁରେ ମୂଲ୍ୟବାନ୍ ପୋଥି ଓ ପୁସ୍ତକର ହିସାବ ମିଳିବା କଷ୍ଟସାଧ୍ୟ ହେଲାଣି । ଏମାର ମଠର ଅବସ୍ଥା ଦେଖି ରାମାନନ୍ଦି ସଂପ୍ରଦାୟର ଭକ୍ତ ଓ ବାବାଜୀମାନେ କଇଁ କଇଁ ହୋଇ କାନ୍ଦୁଛନ୍ତି । ଶ୍ରୀମନ୍ଦିରକୁ ମୋଗଲ ଆକ୍ରମଣ ସମୟରେ ବଡଆଖେଡା ମଠର ବୈଷ୍ଣବ ନାଗାସାଧୁମାନେ ସୁରକ୍ଷା ଦେଉଥିଲେ । ତାହା ଏବେ ଇତିହାସ ପାଲଟିଗଲାଣି । ସାନଛତା ମଠରେ ଦିନ ରାତି ସଂକୀର୍ତନ ଶୁଭୁଥିଲା । ମଧ୍ୟାହ୍ନ ସମୟରେ ଦରିଦ୍ର ନାରାୟଣଙ୍କୁ ଅନ୍ନଦାନ କରାଯାଉଥିଲା । ତାହା ଆଉ ଦେଖିବାକୁ ମିଳୁନାହିଁ । ବଡଦାଣ୍ଡ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିବା ୨ ହଜାରରୁ ଉଦ୍ଧ୍ୱର୍ ବ୍ୟବସାୟୀ ଏବେ ଘର କୋଣରେ ବସି ବାହୁନୁଛନ୍ତି । ପଢୁଥିବା ଶିଶୁମାନଙ୍କ ପାଇଁ ଟ୍ୟୁସନ ଯୋଗାଇ ପାରୁନାହାଁନ୍ତି । ଋଣଦାତା ପ୍ରତି ସପ୍ତାହରେ ଋଣ ନେବା ପାଇଁ ହାଜର ହେଉଛି । ଅନ୍ୟପକ୍ଷରେ ବ୍ୟବସାୟ ଚାଲୁନଥିବାରୁ ଏବେ ଦୟନୀୟ ଅବସ୍ଥାରେ ବ୍ୟବସାୟ ସାମଗ୍ରୀଗୁଡିକ ଘରେ ବାନ୍ଧି ଥୋଇବା ଫଳରେ ସେଗୁଡିକ ମୂଷା କାଟିବା ଆରମ୍ଭ କଲାଣି ।ଏପରି ସ୍ଥିତିରେ ହଜାର ହଜାର ଦୋକାନୀଙ୍କ ବ୍ୟବସାୟ ଉପରେ ବୁଲଡୋଜର ଚଳାଇ ସରକାର କି ଐତିହ୍ୟ ନଗରୀ କରିବେ ତାହା କେବଳ ସମୟ ହିଁ କହିବ ।