ବଲାଙ୍ଗିର, ବଲାଙ୍ଗୀର ଗାନ୍ଧୀନଗର ପଡ଼ା ନିବାସୀ, ବିଶିଷ୍ଟ ଜ୍ୟୋତିର୍ବିଦ, ସଂସ୍କୃତାଚାର୍ଯ୍ୟ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବରିଷ୍ଠ ସ୍ଵୟଂସେବକ, ବାଲ୍ୟକାଳରୁ ରାଷ୍ଟ୍ର ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସଂଘର ବିଭିନ୍ନ ଦାୟିତ୍ଵ ନିର୍ବାହ କରିବା ସହ ଆଜୀବନ ନିତ୍ୟ ଶାଖା ଯାଉଥିବା ଜଣେ ନିଷ୍ଠାବାନ ସ୍ଵୟଂସେବକ, ସମସ୍ତଙ୍କର ଅତି ପ୍ରିୟ ଟିକେଶ୍ଵର ଗୁରୁଙ୍କ ଦେହାନ୍ତ ହୋଇଯାଇଛି। ଗତ ଶନିବାର ସନ୍ଧ୍ୟାରେ ଭୁବନେଶ୍ଵର ଠାରେ ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ଅବସ୍ଥାରେ ୮୮ ବର୍ଷରେ ସେ ଇହଲିଳା ସମ୍ବରଣ କରିଛନ୍ତି।
ଶ୍ରୀଯୁକ୍ତ ଗୁରୁ ବଲାଙ୍ଗିର ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟରେ ସେବା କରି ଅବସର ନେଇଥିଲେ। ବଲାଙ୍ଗିରର ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହି ସଂସ୍କୃତି ବିକାଶ, ସଂସ୍କୃତ ଭାଷା ପ୍ରଚାର ଦିଗରେ କାର୍ଯ୍ୟ କରିବା ସହିତ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିଲେ। ତାଙ୍କ ପାର୍ଥିବ ଶରୀର ଗତକାଲି ସକାଳେ ଏଠାରେ ପହଁଞ୍ଚିବା ପରେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ତାଙ୍କର ବାସଭବନରେ ବନ୍ଧୁ ବାନ୍ଧବ ଶୁଭେଚ୍ଛୁ ମାନଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ତାଙ୍କର ଘରକୁ ପହଂଚି ତାଙ୍କ ଶେଷ ଦର୍ଶନ କରି ସମ୍ମାନ ପ୍ରଦର୍ଶନ କରିଥିଲେ। ବଲାଙ୍ଗିର ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କାର୍ଯ୍ୟକର୍ତ୍ତା ଓ ସ୍ଵୟଂ ସେବକ, ଜିଲ୍ଲା ବ୍ରାହ୍ମଣ ମହାସଭାର କାର୍ଯ୍ୟକର୍ତ୍ତା, ବିଶ୍ଵହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଂସ୍କୃତ ପରିଷଦ କାର୍ଯ୍ୟକର୍ତ୍ତାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ। ଦିନ ୧୧ଟା ସମୟରେ ଶେଷ ଯାତ୍ରା ବିଭୂତି ପଡା ଶ୍ମସାନକୁ ଯାଇଥିଲା। ଶବଧାରରେ ଅନେକେ ଯାଇଥିଲେ। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁତ୍ର ଘଣ୍ଟେଶ୍ଵର ମୁଖାଗ୍ନି ଦେଇଥିଲେ।