ଭୁବନେଶ୍ୱର– ଦୀପାବଳିରେ କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ସାଙ୍ଘାତିକ ସ୍ଥିତିରେ ପହଂଚିଛି । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଂଚଳରେ ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ୯୯୯ ରେକର୍ଡ ହୋଇଥିବା ବେଳେ ପଟିଆ ଅଂଚଳରେ ୬୭୬ ରେକର୍ଡ ହୋଇଛି । ସେହିପରି କଟକରେ ରାତି ଗୋଟାଏରେ ପ୍ରଦୂଷଣ ସ୍ତର ୮୮୨ ରେକର୍ଡ ହୋଇଛି ।
କେବଳ ଟ୍ୱିନସିଟି ନୁହେଁ ରାଜ୍ୟର ଅଧିକାଂଶ ସହରରେ ଶନିବାର ଅପେକ୍ଷା ଗତକାଲି ଦୀପାବଳିରେ ପ୍ରଦୂଷଣ ମାତ୍ରା ବଢ଼ିଥିଲା । ୧୧ ତାରିଖରେ ବାଲେଶ୍ୱରରେ ହାରାହାରି ପ୍ରଦୂଷଣ ୧୨୩ ଥିଲା ବେଳେ ୧୨ ତାରିଖ ଦିନ ୧୯୩.୭୯ ରହିଥିଲା । ସେହିପରି ଅନୁଗୋଳରେ ପ୍ରଦୂଷଣ ୧୧ ତାରିଖରେ ୧୩୦ ଥିବା ବେଳେ ୧୨ ତାରିଖରେ ୧୯୪ ରହିଥିଲା । ତାଳଚେରରେ ପ୍ରଦୂଷଣ ମାତ୍ରା ୧୧ ତାରିଖରେ ୧୧୭ ରହିଥିବା ବେଳେ ଗତକାଲି ଦୀପାବଳିରେ ଏହା ୨୧୪.୯୫କୁ ବୃଦ୍ଧି ପାଇଥିଲା । ଭୁବନେଶ୍ୱରର ଲିଙ୍ଗରାଜ ଅଂଚଳରେ ୧୧ ତାରିଖରେ ପ୍ରଦୂଷଣ ମାତ୍ରା ୧୩୦.୫୧ ଥିବା ବେଳେ ଦୀପାବଳି ଦିନ ଏହା ୨୪୩.୨୩ ରହିଥିଲା । ପଟିଆ ଅଂଚଳରେ ପ୍ରଦୂଷଣ ମାତ୍ରା ୧୦୬ରୁ ବଢ଼ି ୨୧୧ ହୋଇଥିଲା ।