ଗଞ୍ଜାମ- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବି. ତୁରୁବୁଡ଼ି ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ତିନି ଭଉଣୀଙ୍କର ମୃତ୍ୟୁ ଘଟିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ଗତ ୨୫ ତାରିଖ ରାତ୍ରିଭୋଜନ ସାରି ତିନି ଭଉଣୀ ଗୋଟିଏ କୋଠରୀରେ ଶୋଇଥିବା ବେଳେ ଚାଉଳରେ ଦିଆଯାଇଥିବା ପୋକମରା ଔଷଧ ଗନ୍ଧରେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ପ୍ରଥମେ ସେମାନଙ୍କୁ ଦିଗପହଣ୍ଡି ଡ଼ାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଜଣକ ପରେ ଜଣେ ଚିକିତ୍ସାଧିନ ଅବସ୍ଥାରେ ତିନି ଭଉଣୀଙ୍କର ମୃତ୍ୟୁ ଘଟିଛି । ସମ୍ପୃକ୍ତ ତିନି ଭଉଣୀ ହେଲେ ଟିକିନା ରେଡ୍ଡି (୬), ସୋମା ରେଡ୍ଡି (୯) ଏବଂ ବର୍ଷା ରେଡ୍ଡି (୧୨) । ପ୍ରଥମେ ମଝିଆଁ ଭଉଣୀ ସୋମାଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାର ୧୨ ଘଂଟା ପରେ ସାନଭଉଣୀ ଟିକିନା ଓ ଆଜି ବଡ଼ ଭଉଣୀ ବର୍ଷାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଫଳରେ ଏହି ଖାଦ୍ୟ ବିଷକ୍ରିୟାଜନିତ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି ପାଇଛି । ସେମାନଙ୍କ ଘର ପାଟପୁର ଥାନା ଅନ୍ତର୍ଗତ ମାଟିଆବୁରେଇ ଗ୍ରାମରେ । ସେମାନେ ଆଜକୁ ପ୍ରାୟ ୫ ବର୍ଷ ହେଲା ବି. ତୁରୁବୁଡ଼ି ଗ୍ରାମରେ ନିଜ ଅଜା ଘରେ ରହି ପାଠ ପଢୁଥିଲେ । ତେବେ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏମାନଙ୍କର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ଦିଗପହଣ୍ଡି ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।
ଅନ୍ୟପକ୍ଷରେ ଚାଉଳରେ ପୋକମରା ଔଷଧ ଦିଆଯାଇଥିଲା । ଏହି ଚାଉଳରୁ ପ୍ରସ୍ତୁତ ଭାତ ଖାଇବା ଦ୍ୱାରା ବିଷକ୍ରିୟାଜନିତ ଏମାନଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।
Related Stories
December 22, 2024