
ପୁରୀ- ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ କରିବା ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । କିନ୍ତୁ, ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକ ପୁରୀର ରାସ୍ତାଘାଟର ଅବସ୍ଥା ଦେଖି ଅତିଷ୍ଠ ହୋଇପଡିଲେଣି । ସବୁଠାରୁ କଦର୍ଯ୍ୟ ହୋଇଛି ସମୁଦ୍ରକୂଳ ଦିଗବାରେଣୀ ଛକଠାରୁ କୋକୋପ୍ଲାମ ହୋଟେଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତା । ରାସ୍ତା କଦର୍ଯ୍ୟ ସହ ମଝିରେ ଚକଲଗା ଅସ୍ଥାୟୀ ବ୍ୟାରିକେଡ ରଖାଯାଇଥିବା ଯୋଗୁଁ ଯାନାବାହନ ଯିବାରେ ଘୋର ଅସୁବିଧା ସୃଷ୍ଟି ହେଉଛି । ନୂଆବର୍ଷ ପାଇଁ ପୁରୀରେ ପ୍ରତିଦିନ ୫୦ ହଜାରରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁ ପର୍ଯ୍ୟଟକଙ୍କ ଆଗମନ ହେଉଛି । ସମୁଦ୍ରକୂଳ ରାସ୍ତା ଖାଲଢ଼ିପ ଓ ବାଲି ଜମି ରହିଥିବାରୁ ପର୍ଯ୍ୟଟକ ମାନେ ଗାଡି ନେବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ନୋ ପାର୍କିଂ ଜୋନ୍ କରାଯାଇଥିବାରୁ ପର୍ଯ୍ୟଟକମାନେ ଜାଣିନପାରି ଗାଡି ରଖୁଥିବାରୁ ସଙ୍ଗେ ସଙ୍ଗେ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡୁଛି । ସ୍ୱର୍ଗଦ୍ୱାର ପଛପଟେ ରାସ୍ତା କମ୍ ଥିବାରୁ ସେହିଠାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତା ଜାମ୍ ହେଉଛି । ବିଶ୍ୱ ଐତିହ୍ୟନଗରୀର ଏହି ବିଶ୍ୱସ୍ତରୀୟ ଦୂରାବସ୍ଥା ପର୍ଯ୍ୟଟକଙ୍କ ମାନସିକତାକୁ ଆଘାତ ପହଂଚାଉଛି ।