ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିକାଶମୂଳକ କାର୍ଯ୍ୟରେ ଅହେତୁକ ବିଳମ୍ବ ପ୍ରତିବାଦରେ ବିଭିନ୍ନ ସଙ୍ଗଠନ ସମର୍ଥନରେ ଆଜି ଏକ ଶୋଭାଯାତ୍ରାରେ ବାହାରି ୧୨ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନର୍ଲା ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ୨୬ ଗୋଟି ପଞ୍ଚାୟତରେ ସାଧାରଣ ଲୋକଙ୍କ ମୌଳିକ ଅଧିକାରକୁ ପୂରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଯଥା ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ, ପାନୀୟ ଜଳ, ବିଜୁଳି, କୃଷି ଉଦ୍ୟାନ, ରାଜସ୍ବ, ମିଶନ ଶକ୍ତି ଭଳି ବିଭିନ୍ନ ବିଭାଗ ଦ୍ଵାରା ନର୍ଲା ଅଞ୍ଚଳର ମଞ୍ଜୁରୀ ପ୍ରାପ୍ତ ଶତାଧିକ ବିକାଶମୂଳକ କାର୍ଯ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, କିନ୍ତୁ ବଡ଼ ପରିତାପର ବିଷୟ ପ୍ରଶାସନିକ ଅଧିକାରୀ ମାନଙ୍କ ଆନ୍ତରିକତା ଅଭାବ ଅହେତୁକ ବିଳମ୍ବ କାରଣରୁ ଅନେକ କାର୍ଯ୍ୟ ବର୍ଷ ବର୍ଷ ଧରି ପଡ଼ିରହିଛି। ତତ୍ ସଂଗେସଂଗେ ଆଞ୍ଚଳିକ ରାଜନୈତିକ ପଦାଧିକାରୀ ମାନଙ୍କ ନିଷ୍କ୍ରିୟତା ଓ ନିରବତା ମଉନେ ସମ୍ମତ ଲକ୍ଷଣ ଭଳି ଅଭିଯୋଗ ହୋଇଛି। ଉଦାହରଣ ସ୍ଵରୂପ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଛତିକୁଡ଼ା ନର୍ଲା ଏବଂ ରାମପୁରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାଜରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତି ସାଧନ ପାଇଁ ୬.୬୬ କୋଟି ଟଙ୍କାର କାର୍ଯ୍ୟ ତ୍ଵରାନ୍ବିତ ନ ହୋଇ ପଡ଼ିରହିଛି। ସେହିଭଳି ନର୍ଲା ଠାରେ ସ୍ମାର୍ଟ ହସ୍ପିଟାଲ୍ ନିର୍ମାଣ, ପୋଷ୍ଟମଟମ୍ ଗୃହ, ନୂତନ ୩ କଲେଜ, ବି.ଇ.ଓ. ଅଫିସ କାର୍ଯ୍ୟଳୟ, ଜେଏମଏଫସି କୋର୍ଟ, ଲକ୍ଷ୍ମୀ ଯୋଜନାର ବସଷ୍ଟାଣ୍ଡ, ବେହେରାପାଟି ସ୍ଥିତ ସାନ୍ଦୁଲ୍ ନଦୀର ସେତୁ ନିର୍ମାଣ, ସର୍ଗିଗୁଡ଼ା ରେଳ ଫାଟକରେ ଓଭର ବ୍ରିଜ ନିର୍ମାଣ, ନର୍ଲା ଚପଟ୍ ଖଣ୍ଡା ଇଲେକ୍ଟ୍ରିକାଲ ଲୋକୋମେଟିଭ ଇଞ୍ଜିନ ୱାର୍କସପ ଭଳି ମଞ୍ଜୁର ପାଇଥିବା କୋଟି କୋଟି ଟଙ୍କାର ଶତାଧିକ କାର୍ଯ୍ୟ ବର୍ଷ ବର୍ଷ ଧରି ପଡ଼ିରହିଛି। ଫଳରେ ସାଧାରଣ ଜନତା ବିଭିନ୍ନ ସେବା ଓ ସୁବିଧାରୁ ବଞ୍ଚିତ ହେଉଥିବା ନେଇ ଦୀର୍ଘଦିନ ଧରି ଅଭିଯୋଗ ହୋଇ ଆସୁଥିଲେ ବି ପ୍ରଶାସନିକ ଅଧିକାରୀ ମାନଙ୍କ ନିଦ ଭାଙ୍ଗୁ ନାହିଁ, ଏଣୁ ଏଭଳି କାର୍ଯ୍ୟକୁ ବିରୋଧ କରାଯିବା ସହ ଓଡ଼ିଶା ରାଜ୍ୟ ସାମ୍ବାଦିକ ସଂଘ ନର୍ଲା ଶାଖା ପକ୍ଷରୁ ୧୨ ଦଫା ଦାବି ନେଇ ବିଭିନ୍ନ ସଂଗଠନର ସହଯୋଗରେ ନର୍ଲା ଚାରିଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନର୍ଲା ବ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିବାଦ ସଭାରେ ନର୍ଲା ବ୍ଲକ ବଣିକ ସଂଘ, ଚାଳକ ସଂଘ, ନବ ନିର୍ମାଣ କୃଷକ ସଙ୍ଗଠନ, ଆଦିବାସୀ ସଂଘ, ସେବାକାରୀ କିନ୍ନର ସଂଘ, ନର୍ଲା ଓକିଲ ସଂଘ ଭଳି ବିଭିନ୍ନ ସଂଗଠନର ପଦାଧିକାରୀଙ୍କ ସମେତ ବରିଷ୍ଠ ସଦସ୍ୟ ଓ ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ସମାଜସେବୀ ମାନେ ପ୍ରତିବାଦ ସଭାରେ ସମର୍ଥନ ଜଣାଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ଏବଂ ନର୍ଲା ସାମ୍ବାଦିକ ସଂଘ ପକ୍ଷରୁ ୧୨ ଦଫା ଦାବି ପତ୍ର ଉପରେ ଯଦି ପ୍ରଶାସନ କାର୍ଯ୍ୟ ପ୍ରତି ତତ୍ପର ପ୍ରକାଶ ନ କରନ୍ତି ତା ହେଲେ ଆଗାମୀ ଦିନରେ ଏଭଳି ସଙ୍ଗଠନର ସହଯୋଗରେ ସଂଘ ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛନ୍ତି।