ଭୁବନେଶ୍ୱର, ଓଲିଉଡ୍ ରେ ଚାଲିଥିବା କଳିର ସମାଧାନ ପାଇଁ ଗୁରୁବାର ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ବୈଠକ ବସିଥିଲା । ଓଏଫ୍ଡିସିର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ କଟକରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରଯୋଜକ ଟୁଟୁ ନାୟକଙ୍କ ସମେତ ଆଉ କିଛି ପ୍ରଯୋଜକ ଓ ଫିଲ୍ମ ଜଗତ ସହ ସଂପୃକ୍ତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । କିନ୍ତୁ ବୈଠକକୁ ମନୋଜ ମିଶ୍ର ଆସିନଥିଲେ ।
ବୈଠକ ପରେ ଓଏଫ୍ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି ଆଲୋଚନା ପାଇଁ ଡାକିଥିଲି, ଅରିନ୍ଦମ, ଶ୍ରୀତମ, ଟୁଟୁ ନାୟକ ଆସିଥିଲେ, ମନୋଜଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ସେ ଫୋନ୍ ଉଠାଇଲେନି । ତଥାପି ଆମର ଚେଷ୍ଟା ରହିବ, ଏ ଘଟଣା ଆଉ ଆଗକୁ ନ ବଢୁ ।