
ଝାରସୁଗୁଡା – ଝାରସୁଗୁଡାରେ ଏବେ ଯେପରି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସର ନିୟନ୍ତ୍ରଣ ନଥିବା ମନେ ହେଉଛି। ଗତ ରାତିରେ ଝାରସୁଗୁଡ଼ା ସହର ମୁଖ୍ୟମାର୍ଗରେ ଥିବା ତିନୋଟି ଦୋକାନରୁ ଚୋରି ହେବା ଘଟଣା ଏହାର ଉଦାହରଣ ଅଟେ। ଘଟଣାରୁ ପ୍ରକାଶ, ଝାରସୁଗୁଡା ସହର ପୁରୁଣାବସ୍ତି ଛକ ମୁଖ୍ୟମାର୍ଗରେ ଥିବା ତିନୋଟି ଦୋକାନର ଆଜବେଷ୍ଟଶ ଭାଙ୍ଗି ଦୋକାନ ଗୃହ ଭିତରେ ପଶି ଦୁର୍ବୃତମାନେ ଲକ୍ଷାଧିକ ଟଙ୍କାର ଅାସବାବପତ୍ର ଓ ନଗଦ ଟଙ୍କା ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି। ମହମ୍ମଦ ବେଲାଲ ଆହେମଦଙ୍କ ଡବ୍ଲୁ ଜୋତା ଦୋକାନରୁ ଚାରିରୁ ପାଞ୍ଚ ହଜାର ଟଙ୍କାର ଜୋତା ଓ ନଗଦ ତିରିଶ ହଜାର ଟଙ୍କା ଚୋରି ହୋଇଥିବା ବେଳେ ନିକଟରେ ଥିବା ଅମିତ ଗିଡ଼ବାନୀଙ୍କ ରେଡିମେଡ଼ ଦୋକାନରୁ ନଗଦ ପଚିଶ ହଜାର ଟଙ୍କା ସହିତ ପ୍ରାୟ ନବେ ହଜାରରୁ ଲକ୍ଷେ ଟଙ୍କାର ରେଡିମେଡ଼ ସାମଗ୍ରୀ ଚୋରି ହୋଇଥିବା ସେ ଥାନାରେ ଆଭିଯୋଗ କରିଛନ୍ତି। ସେହିପରି ମୋହିନୀ ବେଗଙ୍କ ଦୋକାନରୁ ନଗଦ ଷୋହଳ ହଜାର ଟଙ୍କା ଓ ପ୍ରାୟ ତିରିଶ ହଜାର ଟଙ୍କାର ବ୍ୟାଗ୍ ଚୋରିହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଝାରସୁଗୁଡ଼ା ପୋଲିସ ଖବର ପାଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଯାହା ହେଉନା କାହିଁକି ଝାରସୁଗୁଡ଼ା ମୁଖ୍ୟମାର୍ଗ ତଥା ରେଳବାଇ ଷ୍ଟେସନ ଓ ବସଷ୍ଟାଣ୍ଡ ମଝିରେ ଥିବା ଏହି ସ୍ଥାନରୁ ଚୋରି ହେବା ଘଟଣା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିବାବେଳେ ପୋଲିସ ପାଇଁ ଏହା ଏକ ଖୋଲା ଚ୍ୟାଲେଞ୍ଜ ସଦୃଶ ହୋଇଛି।ଝାରସୁଗୁଡ଼ାରେ ଦିନକୁ ଦିନ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ସାଧାରଣରେ ଅଭିଯୋଗ ହେଉଛି ।