ଜୟପୁର– ୨୮ତମ ରାଷ୍ଟ୍ରୀୟ ରାଇଫଲରେ କାର୍ଯ୍ୟରତ ୨୨ ବର୍ଷୀୟ ଯବାନ ସୌରଭ କଟାରା ସହୀଦ ହୋଇଛନ୍ତି । ଜମ୍ମୁ କାଶ୍ମୀରର କୁପୱାଡା ଠାରେ ଡ୍ୟୁଟି କରୁଥିବା ବେଳେ ମଙ୍ଗଳବାର ରାତିରେ ବମ୍ ବ୍ଲାଷ୍ଟ ହୋଇଥିଲା । ଯେଉଁଥିରେ ସୌରଭ ମୃତ୍ୟୁବରଣ କରିଥିଲେ । ସୌରଭଙ୍କ ଘର ରାଜସ୍ଥାନର ଭରତପୁର ଅଂଚଳରେ । ବୁଧବାର ଦିନ ତାଙ୍କର ଜନ୍ମଦିନ ଥିବା ବେଳେ ଏହାର ପୂର୍ବ ରାତିରେ ତାଙ୍କର ମୃତ୍ୟୁ ଘଟିଥିବାରୁ ପରିଜନ ମହଲରେ ଶୋକର ଛାୟା ଖେଳିଯାଇଛି । ଦୁଃଖର ବିଷୟ ହେଉଛି ସୌରଭ ଚଳିତ ଡିସେମ୍ବର ୮ ତାରିଖରେ ବିବାହ କରିଥିଲେ । ୧୬ ତାରିଖରେ ସେ ଛୁଟି ସାରି କାର୍ଯ୍ୟରେ ଯୋଗ ଦେଇଥିଲେ ।
ସହୀଦ ସୌରଭଙ୍କ ଶେଷକୃତ୍ୟ ସମୟରେ ହଜାର ହଜାର ସଂଖ୍ୟାରେ ଜନତା ଉପସ୍ଥିତ ରହିଥିଲେ । ଏହି ସମୟରେ ସୌରଭଙ୍କ ନବିବାହିତା ପତ୍ନୀ ପୁନମଙ୍କ ଅବସ୍ଥା ଦେଖି ଉପସ୍ଥିତ ଜନତାଙ୍କ ଆଖିରେ ଲୁହ ଆସିଯାଇଥିଲା । କିଛି ଦିନ ତଳେ ନବବଧୁ ସାଜିଥିବା ପୁନମ ସ୍ୱାମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥିଲେ ।
ସହୀଦଙ୍କ ବାପା ନରେଶ କଟାରା ମଧ୍ୟ ଆର୍ମିରେ ଥିଲେ ଏବଂ ୨୦୦୨ ରେ ସେବାନିବୃତ ହୋଇଥିଲେ । ସେ ୧୯୯୯ କାରଗିଲ ଯୁଦ୍ଧରେ ମଧ୍ୟ ସାମିଲ ଥିଲେ । ପୁଅର ସହୀଦ ହେବାରେ ସେ ଗର୍ବିତ ବୋଲି କହିବା ସହ ଆଗକୁ ନିଜ ସାନ ପୁଅକୁ ମଧ୍ୟ ଆର୍ମିରେ ଭର୍ତି କରିବେ ବୋଲି କହିଛନ୍ତି ।