-
ବିଲିଂ କାଉଂଟରରେ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡିବନି
-
ଭିଡ଼ କମିବ, ତ୍ୱରାନ୍ୱିତ ହେବ ଚିକିତ୍ସା ସେବା, ଘରୁ ଥାଇ ମଧ୍ୟ କରିପାରିବେ ପେମେଂଟ୍
ଭୁବନେଶ୍ୱର, ବିଲିଂ କାଉଂଟରରେ ଦୀର୍ଘ ସମୟ ପାଇଁ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବା ସମୟ ଗଲା । ଏମ୍ସ ଭୁବନେଶ୍ୱରରେ ଶୁକ୍ରବାର ଇ-ପେମେଂଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଏଣିକି ଘରୁ ଥାଇ ମଧ୍ୟ ବିଭିନ୍ନ ପରୀକ୍ଷା ନିମନ୍ତେ ପେମେଂଟ୍ କରିପାରିବେ ସାଧାରଣଲୋକ । ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍ ଜରିଆରେ ୟୁପିଆଇ ଆଇଡି ବ୍ୟବହାର କରି ବିଭିନ୍ନ କାର୍ଡ/ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ହୋଇପାରିବ ପେମେଂଟ୍ ବ୍ୟବସ୍ଥା ।
ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର(ଡ.) ଆଶୁତୋଷ ବିଶ୍ୱାସ ଆଜି ଏହି ଜନହିତକାରୀ ବ୍ୟବସ୍ଥାର ଉଦ୍ଘାଟନ କରିଥିଲେ । ଏହା ଦ୍ୱାରା ଆଉ ଲମ୍ବା ସମୟ ପାଇଁ ଧାଡ଼ିରେ ଠିଆ ହେବାର ଆବଶ୍ୟକତା ରହିବ ନାହିଁ । ଏପରିକି ଦେଶର ଯେକୌଣସି ସ୍ଥାନରୁ ମଧ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ଏହି ପେମେଂଟ୍ କରିପାରିବେ । ଫଳରେ ରୋଗୀ କିମ୍ବା ତାଙ୍କର ସମ୍ପର୍କୀୟମାନେ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ ବୋଲି ଡ. ବିଶ୍ୱାସ ପ୍ରକାଶ କରିଛନ୍ତି । ଏହାଦ୍ୱାରା ସମୟ ସଂଚୟ ହେବା ସହିତ ଚିକିତ୍ସାସେବା ଜଲ୍ଦି ହୋଇପାରିବ । ଏହି ଜାତୀୟ ଅନୁଷ୍ଠାନ ପକ୍ଷରୁ ଆଜିଠାରୁ ପ୍ରଚଳିତ ହୋଇଥିବା ଏହି ଡିଜିଟାଲ୍ ପେମେଂଟ ବ୍ୟବସ୍ଥା ପୁରା ଦେଶରେ ମଧ୍ୟ ଅଭିନବ ବୋଲି ଡ. ବିଶ୍ୱାସ ସୂଚନା ଦେଇଛନ୍ତି ।
ଏମ୍ସ ଭୁବନେଶ୍ୱରର ଏହି ଇ-ପେମେଂଟ ବ୍ୟବସ୍ଥାର ଲାଭ ପାଇବାକୁ ହେଲେ, ଜଣେ ବ୍ୟକ୍ତିଙ୍କୁ ନିଜ ମୋବାଇଲ୍ ରେ କିଛି ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ । ପ୍ରଥମ ସୋପାନରେ ବ୍ୟକ୍ତିଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ “ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍”ଡାଉନଲୋଡ୍ କରିବାକୁ ପଡ଼ିବ । ଦ୍ୱିତୀୟ ପର୍ଯ୍ୟାୟରେ, ତାଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବର ସହିତ ଲଗ୍ଇନ୍ କରିବାକୁ ହେବ । ପରବର୍ତୀ ପଦକ୍ଷେପ ସ୍ୱରୂପ ହିତାଧିକାରୀଙ୍କ ମୋବାଇଲ୍ କୁ ଏକ ଓଟିପି ନମ୍ବର ଆସିବ । ଓଟିପି ନମ୍ବର ଦେବା ପରେ ସ୍ୱାସ୍ଥ୍ୟ ଆପ୍ ର ପେଜ୍ ମୋବାଇଲ୍ ରେ ଡିସ୍ପ୍ଲେ ହେବ । ଏହା ପରେ ଉପଭୋକ୍ତାଙ୍କୁ ବିଲିଂ ପ୍ରକ୍ରିୟା ଚୟନ କରିବାକୁ ପଡିବ, ଯାହା ପରେ ଡିଜିଟାଲ ପେମେଂଟ ପ୍ରକ୍ରିୟା ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ଉପଭୋକ୍ତା ନିଜର ସୁବିଧା ଅନୁଯାୟୀ ଡିଜିଟାଲ୍ ପେମେଂଟ୍ ବ୍ୟବସ୍ଥା ଚୟନ କରିବେ । ପେମେଂଟ୍ ପ୍ରକ୍ରିୟା ସମାପ୍ତ ହେବା ପରେ ଏକ ରସିଦ ପ୍ରଦର୍ଶିତ ହେବ ଯାହା ପରବର୍ତୀ ବ୍ୟବହାର ପାଇଁ ଡାଉନଲୋଡ୍ ହୋଇ ବ୍ୟବହାର ହୋଇପାରିବ ।
ଦେୟ ପ୍ରକ୍ରିୟା ସମାପ୍ତ ହେବା ପରେ ରୋଗୀମାନେ ସିଧାସଳଖ ନମୁନା ସଂଗ୍ରହ କାଉଂଟରକୁ ଯାଇପାରିବେ । ନିଜେ କିମ୍ବା ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ଉପରୋକ୍ତ ପ୍ରକ୍ରିୟା ସମାପନ ହୋଇପାରି । ଏନେଇ ବିକଶିତ ଆପ୍ ଜରିଆରେ ଖୁବ୍ କମ ସମୟରେ ସମସ୍ତ ପ୍ରକ୍ରିୟା ସମାପନ ହେଉଛି । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସଙ୍କ ସମେତ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ, ଆଇଟି ଚେୟାରମ୍ୟାନ୍ ଡ. ମନୋଜ କୁମାର ମହାନ୍ତି ଏବଂ ଆଇଟି ବିଭାଗର ସଦସ୍ୟମାନେ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟଯେ ପେପରଲେସ ଅଫିସ୍ ନିମନ୍ତେ ଏମ୍ସ ଭୁବନେଶ୍ୱର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । କିଛିଦିନ ତଳେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଇ-ଅଫିସ୍ ବ୍ୟବସ୍ଥାର ପ୍ରଚଳନ କରିସାରିଛି । ଆଜି ଆରମ୍ଭ ହୋଇଥିବା ଇ-ପେମେଂଟ୍ ବ୍ୟବସ୍ଥାର ବ୍ୟାପକ ପ୍ରଚଳନ ନିମନ୍ତେ ଏମ୍ସ ପକ୍ଷରୁ ସମସ୍ତଙ୍କୁ ସଚେତନ କରାଯିବ । ଯାହାଫଳରେ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ । ସୂଚନାଯୋଗ୍ୟଯେ ଏମ୍ସ ଭୁବନେଶ୍ୱରକୁ ଦୈନିକ ଚାରି ହଜାରରୁ ସାଢ଼େଚାରିହଜାର ରୋଗୀ ଚିକିତ୍ସାସେବା ନିମନ୍ତେ ଆସୁଛନ୍ତି ।