ଭୁବନେଶ୍ୱର, ଦୁଇ ଜଣ ବିଜେପି ବିଧାୟକଙ୍କୁ ଗୃହରୁ ନିଲମ୍ବନ କରାଯାଇଥିବା ପ୍ରତିବାଦରେ ବିଜେପି ବିଧାୟକ ମାନେ ନାରାବାଜୀ କରିବା କାରଣରୁ ଆଜି ବିଧାନସଭାରେ ପ୍ରଥମାର୍ଧରେ କୌଣସି କାମ ହୋଇ ପାରି ନ ଥିଲା । ବାଚସ୍ପତି ପ୍ରମିଳା ମଲିକ ଗୃହକୁ ଅପରାହ୍ନ 4ଟା ଯାଏ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ। ଏହି କାରଣରୁ ଆଜି ଗୃହରେ ପ୍ରଶ୍ନକାଳ, ଶୂନ୍ୟକାଳ ସମେତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇ ପାରି ନ ଥିଲା ।
ଆଜି ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ 10..30ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିଥିଲେ । ସେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଉତର ଦେବାକୁ ଡାକିଥିଲେ । ତଦନୁଯାୟୀ ଶ୍ରୀ ପାତ୍ର ଉତ୍ତର ଦେବା ଆରମ୍ଭ କରିଥିଲେ । ହେଲେ ବିଜେପି ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି ଦୁଇ ଜଣ ବିଧାୟକଙ୍କ ନିଲମ୍ବନର ପ୍ରତିବାଦ କରିଥିଲେ ଓ ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ବିଜେପି ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଚାଲି ଆସି ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା । ଏହା ପରେ ବାଚସ୍ପତି ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।