ସମ୍ବଲପୁର, ଆଜି ପୂର୍ବାହ୍ନରେ ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଫଳରେ ଏବେ ମୋଟ୍ ୧୦ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ବନ୍ଧର ବାମ ପାର୍ଶ୍ଵ ଡାଇକ୍ ର ୭ଟି ଏବଂ ଡାହାଣ ପାର୍ଶ୍ଵ ଡାଇକ୍ ର ୩ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।
ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮୯ ହଜାର ୨୭୯ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ୧୦ଟି ସ୍ଲୁଇସ୍ ଗେଟ୍, ବିଭିନ୍ନ ପାୱାର ଚାନେଲ ଓ ସ୍ପିଲୱେ ଦେଇ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୭୮ ଘନଫୁଟ୍ ରୁ ଉର୍ଦ୍ଧ୍ଵ ଜଳ ମହାନଦୀକୁ ଛଡାଯାଉଛି । ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୫୨ ଫୁଟ୍ ରହିଛି । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।
ଗତ ୨୪ ଘଂଟା ମଧ୍ୟରେ ଜଳଭଣ୍ଡାରର ଉପର ମୁଣ୍ଡରେ ୦୫.୨୭ ମି.ମି. ଏବଂ ତଳ ମୁଣ୍ଡରେ ୧୧.୧୯ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବିଭାଗୀୟ କର୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ।